ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…

କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଅଟକ ରଖିଛି। ମାଲଗୋଦାମ ଥାନା ଅଧୀନ ପିଲିଗ୍ରିମ ରୋଡ୍‌ରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିଲା। ଖବରପାଇ ସ୍ଥାନୀୟ ପୋଲିସ ସେଠାରେ ଚଢାଉ କରି ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏଥିସହ ଜଣେ ମହିଳା ମଧ୍ୟସ୍ଥ ଓ ଜଣେ ଗ୍ରାହକଙ୍କୁ ଅଟକ ରଖିଛି। ଏହି ଘଟଣାରେ ହୋଟେଲ ମାଲିକଙ୍କୁ ପଚରାଉଚରା କରାଯାଇଥିବା ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ନାୟକ ସୂଚନା ଦେଇଛନ୍ତି।
ବାଦାମବାଡି ଥାନା ଅଧୀନ ଶଙ୍କରପୁର ଦାସସାହିରେ ଘର ଭଡା ନେଇ ଦୁଇଜଣ ଯୁବକ ଓ ଜଣେ ଯୁବତୀ ସେକ୍ସ ର଼୍ୟାକେଟ୍‌ ଚଳାଉଥିଲେ। ଖବରପାଇ ପୋଲିସ ସେଠାରେ ଚଢାଉ କରି ସେକ୍ସ କାରବାରରେ ସମ୍ପୃକ୍ତ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ଦୁଇ ଜଣ ଯୁବତୀଯୁବକଙ୍କୁ ଅଟକ ରଖିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଛନ୍ତି। ପୂର୍ବରୁ ଉକ୍ତ ଘର ଉପରେ ପୋଲିସ ଚଢ଼ାଉ କରି ବିଫଳ ହୋଇଥିଲା। ଶନିବାର ସେଠାରେ ଦେହ ବ୍ୟବସାୟ ଚାଲୁଥିବା ଖବର ମିଳିବା ପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।