ଆଇଏଲ୍‌ଏସ୍‌ରେ ମେରାଇନ୍‌ ବାୟୋଟେକ୍ନୋଲୋଜି କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର, ୧୮।୨(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌)ରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ମେରାଇନ୍‌ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଦୃଷ୍ଟିରେ ରଖି ଗବେଷଣା ନିମନ୍ତେ ଏହି କେନ୍ଦ୍ର ପ୍ରତିଷ୍ଠା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ସେ ତାଙ୍କୁ ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ରହିଥିବା ସୁଦୀର୍ଘ ସୁନ୍ଦର ବେଳାଭୂମି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟର ଏକ ହଲ୍‌ମାର୍କ ଭାବେ ପରିଗଣିତ ହୋଇଛି। ମାଛଚାଷ, ପର୍ଯ୍ୟଟନ, ବାଣିଜ୍ୟ ଓ ଲଜିଷ୍ଟିକ୍‌ ତଥା ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି। ସେହିପରି ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର ପର୍ଯ୍ୟଟନ ତଥା ସଂଯୁକ୍ତ କ୍ଷେତ୍ର ପାଇଁ ଏକ ମେରୁଦଣ୍ଡ ଭାବରେ ଠିଆ ହୋଇଛି। ପାରାଦୀପ ବନ୍ଦର, ଆଇଓସିଏଲ୍‌ ତୈଳ ବିଶୋଧନାଗାର, ସ୍ମାର୍ଟ୍‌ ବନ୍ଦର ସହର ପାରାଦୀପ ପ୍ରଗତିର ଅନ୍ୟତମ ଆଧାର ହୋଇଛି। ଯେତେବେଳେ ଆମେ ସାମୁଦ୍ରିକ ବାୟୋ-ଟେକ୍ନୋଲୋଜି ଜରିଆରେ ନୋଭେଲ୍‌ ଆପ୍ରୋଚେସକୁ ବିକଶିତ କରୁଛେ, ସେହି ସମୟରେ ଏହି ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନ ଯଥା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡା ଦେବା ସ୍ଥାନ ଓ ଉପକୂଳ ଅଞ୍ଚଳରେ ଥିବା ଗଛ ବିଶେଷକରି ଲୁଣି ହେନ୍ତାଳବନର ସଂରକ୍ଷଣ ପାଇଁ ପୁଞ୍ଜିନିବେଶ କରାଯିବା ଏକାନ୍ତ ଆବଶ୍ୟକ। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଆଇଏଲ୍‌ଏସ୍‌ରେ ବିଭିନ୍ନ ଗବେଷଣା ମାଧ୍ୟମରେ ଆଞ୍ଚଳିକ ଜୈବ ସମ୍ବଳର ପରିଚାଳନା, ଇକୋ ସଂରକ୍ଷଣ ଉଦ୍ୟମ ଏବଂ ସାମୁଦ୍ରିକ ଉତ୍ସର ଠିକ୍‌ ବ୍ୟବହାର ସପକ୍ଷରେ ଏକାଧିକ ପ୍ରକାଶନୀ ପ୍ରମାଣିତ କରିଛି। ତେଣୁ ଓଡ଼ିଶାର ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନର ସନ୍ତୁଳନ ଓ ଏହାର ନୀଳ ଅର୍ଥନୀତିର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏହିସବୁ କ୍ଷେତ୍ରଗୁଡ଼ିକରେ ବୈଜ୍ଞାନିକ ଗବେଷଣା ଉପରେ ଅଧିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।