ଜମି ପାସ୍‌ବୁକ୍‌ ପରେ ସମ୍ପତ୍ତି ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧୧ା୧୧(ରବିନାରାୟଣ ଜେନା): ରାଜ୍ୟରେ ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ଉପାୟରେ ଜମି ମାଲିକାନା ଦେବା ଏବଂ ବ୍ୟାଙ୍କ ଋଣ କରାଇବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ‘ସ୍ବାମିତ୍ୱ ଯୋଜନା’କୁ ନେଇ ସ୍ମାର୍ଟ ସମ୍ପତ୍ତି କାର୍ଡ ପ୍ରଦାନ କରାଯିବ। ଏହି ସ୍ମାର୍ଟ କାର୍ଡକୁ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ଯୋଜନା ରହିଛି। ଏହାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ଡ୍ରୋନ୍‌ ସର୍ଭେ କରାଯିବା ସହିତ ନୂତନ ନିୟମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହା ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ପତ୍ତି ଋଣ ନେବାରେ ବିଶେଷ ସହାୟକ ହୋଇପାରିବ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୬ରେ ରାଜ୍ୟର ସମସ୍ତ ବର୍ଗର ଲୋକଙ୍କୁ ଜମି ପାସ୍‌ବୁକ୍‌ ପ୍ରଦାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ଆଭିମୁଖ୍ୟ ରହିଥିଲା, ଯେଉଁ ବ୍ୟକ୍ତିର ଯେତିକି ପରିମାଣର ଜମି ନିଜ ନାମରେ ରହିଛି ତାହାକୁ ବ୍ୟାଙ୍କ ପାସ୍‌ବୁକ୍‌ ଭଳି ଜମି ପାସ୍‌ବୁକ୍‌ରେ ଉଲ୍ଲେଖ କରାଯିବ। ପଞ୍ଜୀକରଣ ସମୟରେ ଯଦି ଉକ୍ତ ବ୍ୟକ୍ତି ଜମି ବିକ୍ରି କରନ୍ତି କିମ୍ବା କିଣନ୍ତି ତେବେ ଜମି ପାସ୍‌ବୁକ୍‌ରେ ତାହା ପ୍ରଦର୍ଶିତ ହେବ। ଯାହାଦ୍ୱାରା ଜମି ଜାଲିଆତି କମିବା ସହିତ ଅଦାଲତି ଝମେଲାରୁ ତ୍ରାହି ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ଜମି ପାସ୍‌ବୁକ୍‌ ପ୍ରକ୍ରିୟା ବର୍ଷେ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ଜୋର୍‌ଦାର ଚାଲିଲା। ମାତ୍ର ଏହାପରେ କୌଣସି ତହସିଲରେ ଜମି ପାସ୍‌ବୁକ କଥା ଶୁଣିବାକୁ ମିଳୁନାହିଁ। ଏହା ଏକ ପ୍ରକାର ଅଲୋଡ଼ା ହୋଇ ପଡ଼ିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ସ୍ବାମିତ୍ୱ ସମ୍ପତ୍ତି ସ୍ମାର୍ଟ କାର୍ଡ କେତେଦୂର ସଫଳ ହେବ ତାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଉଛନ୍ତି।
ଉଲ୍ଲେଖଯୋଗ୍ୟ, ଗ୍ରାମାଞ୍ଚଳରେ ଜମିଜମା ସମ୍ପର୍କିତ ବିବାଦର ଅବସାନ ଏବଂ ଜମି ମାଲିକାନାକୁ ସ୍ବୀକୃତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬ ଅଗଷ୍ଟ ୫ରେ ସ୍ବାମିତ୍ୱ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଅନ୍ୟ ରାଜ୍ୟରେ ଗ୍ରାମାଞ୍ଚଳର ୧୧,୧୪୭ ଜଣ ଜମି ମାଲିକଙ୍କୁ ସମ୍ପତ୍ତି କାର୍ଡ ଆଧାରରେ ୧,୭୧୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଗ୍ରାମର ଜନବସତି ଅଞ୍ଚଳକୁ ଡ୍ରୋନ୍‌ ସର୍ଭେ ଏବଂ କଣ୍ଟିନ୍ୟୁଅସ୍‌ ଅପରେଟିଂ ରେଫରେନ୍ସ ଷ୍ଟେଶନ ପ୍ରଯୁକ୍ତି ମାଧ୍ୟମରେ ମାପଚୁପ କରାଯାଉଛି। ଏହାଦ୍ୱାରା ଜମିର ଠିକ୍‌ ସୀମା ନିର୍ଦ୍ଧାରଣ ସହ ସଠିକତାଯୁକ୍ତ ମାନଚିତ୍ର ପ୍ରସ୍ତୁତ ହେଉଛି। ଏହାକୁ ଆଧାରକରି ଜମି ମାଲିକମାନଙ୍କୁ ଅଧିକାର ଅଭିଲେଖ ଭୂସ୍ବତ୍ତ୍ୱ ପ୍ରଦାନ କରାଯାଉଛି। ଫଳରେ ଜମି ସୀମାକୁ ନେଇ ବିବାଦ ହ୍ରାସ ପାଇବା ସହ ଜମି ମାଲିକାନାରେ ସ୍ବଚ୍ଛତା ଆସିପାରିବ। ଏହି ପ୍ରକ୍ରିୟାରେ ଜମିର ସ୍ଥଳସ୍ତରୀୟ ଯାଞ୍ଚ ଏବଂ ବିବାଦର ସମାଧାନ ପାଇଁ ବ୍ୟବସ୍ଥା ରହିଛି। ଫଳରେ ମାଲିକାନା ରେକର୍ଡକୁ ନିରପେକ୍ଷ ଓ ଠିକ୍‌ ଭାବେ ଚୂଡ଼ାନ୍ତ କରାଯାଇପାରୁଛି। ଏହି ଯୋଜନାରେ ପ୍ରସ୍ତୁତ ଭୌଗୋଳିକ ତଥ୍ୟକୁ ଗ୍ରାମ ମାନଚିତ୍ର ନାମକ ଡିଜିଟାଲ୍‌ ଆପ୍ଲିକେଶନ ସହ ସଂଯୋଗ କରାଯାଇଛି। ଏହା ମାଧ୍ୟମରେ ଗ୍ରାମର ରାସ୍ତାଘାଟ, ସାର୍ବଜନୀନ ଭିତ୍ତିଭୂମି, ଜଳାଶୟ, ପ୍ରାକୃତିକ ସମ୍ପଦ ଏବଂ ଅନ୍ୟାନ୍ୟ ସାମୂହିକ ସମ୍ପତ୍ତିର ଡିଜିଟାଲ୍‌ ମାନଚିତ୍ର ଦେଖିହେବ। ତେବେ ଅନେକ ସମୟରେ ବ୍ୟାଙ୍କଗୁଡ଼ିକ ଗ୍ରାମାଞ୍ଚଳ ଲୋକଙ୍କୁ ଋଣ ଦେବାବେଳକୁ କୁନ୍ଥକୁନ୍ଥ ହେଉଛନ୍ତି। ବ୍ୟାଙ୍କ ଯେପରି ଭେଳିକି ନ ଦେଖାଇବ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାର ଗ୍ରାମାଞ୍ଚଳର ବହୁ ଲୋକ ଉପକୃତ ହୋଇପାରିବେ। ନିକଟରେ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟି ବୈଠକରେ ରାଜସ୍ବ ବିଭାଗକୁ ଏଥିନେଇ ନୂତନ ଆଇନ ଆଣିବାକୁ କୁହାଯାଇଛି ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share