Categories: ବାଣିଜ୍ୟ

ହିନ୍ଦୁଜା ପରିବାରରେ ସମ୍ପତ୍ତି ବିବାଦ; କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୫।୬ : ବ୍ରିଟେନର ହିନ୍ଦୁଜା ଗ୍ରୁପ୍‌ର ଜଡ଼ିତ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦେଖାଯାଇଛି। ଏହି ବିବାଦ ବର୍ତ୍ତମାନ ବ୍ରିଟେନର ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ପରିବାର ବ୍ରିଟେନର ବିଲିୟନେୟାରଙ୍କ ତାଲିକାରେ ରହିଛି। ପରିବାରର ସଂରକ୍ଷକ କୁହାଯାଉଥିବା ୮୪ ବର୍ଷୀୟ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜା ମାମଲାକୁ ଅଦାଲତ ଯାଏ ନେଇଥିବା କୁହାଯାଉଛି। ସେ ତାଙ୍କ ଭାଇ ଜି.ପି. ହିନ୍ଦୁଜା(୮୦), ପି.ପି. ହିନ୍ଦୁଜା(୭୫)ଏବଂ ଏ.ପି. ହିନ୍ଦୁଜା (୬୯)ଙ୍କ ବିରୋଧରେ ମକଦମା ଦାୟର କରିଛନ୍ତି। ଏହି ମାମଲା ୨୦୧୪ର ଏକ ଚିଠିକୁ ନେଇ ହୋଇଛି। ଚିଠିର ବୈଧତା ଏବଂ ପ୍ରଭାବ ଆଧାରରେ ଏହା ହୋଇଥିବା ଜଣାପଡିଛି। ଚିଠିରେ କୁହାଯାଇଛି ଯେ, ସବୁ ଭାଇ ଜଣେ ଅନ୍ୟ ଜଣକ ଲାଗି ନିର୍ବାହକ ନିଯୁକ୍ତ ହୋଇଛନ୍ତି। କୌଣସି ଜଣେ ଭାଇ ନାମରେ ରହିଥିବା ସମ୍ପତ୍ତି ଉପରେ ୪ ଜଣଙ୍କର ହକ୍‌ ରହିବ। ୨୦୧୪ର ଅନ୍ୟ ଏକ ଚିଠିର ଏହି ବିବାଦ ସହ ସମ୍ପର୍କ ରହିଛି। ଏହି ଦସ୍ତାବିଜଗୁଡିକୁ ଆଇନଗତ ଭାବେ ଅଣପ୍ରଭାବୀ ଘୋଷିତ କରିବା ଲାଗି ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜା ଆବେଦନ କରିଛନ୍ତି। ଏହି ଦସ୍ତାବିଜ କୌଣସି ଇଚ୍ଛାପତ୍ର, ପାଓ୍ବାର ଅଫ୍‌ ଆଟର୍ନି କିମ୍ବା ଅନ୍ୟ ବାଧ୍ୟକାରୀ ଦସ୍ତାବିଜ ଭାବେ ବିଚାର କରା ନ ଯାଉ। ଚିଠିରେ ଉଲ୍ଲେଖ ପ୍ରସଙ୍ଗକୁ ଦସ୍ତାବିଜ ଭାବେ ବ୍ୟବହାର ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ କୁହାଯାଇଛି। ସୂଚନାଯୋଗ୍ୟ ଏହି ଗ୍ରୁପ୍‌ର ସମ୍ପତ୍ତି ୧୬ ବିଲିୟନ ପାଉଣ୍ଡ ରହିଛି। ଏହାର କାରବାର ସାମ୍ରାଜ୍ୟ ମୁମ୍ବାଇ ଏବଂ ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ରହିଛି। ଏହି ଗ୍ରୁପ୍‌ ବାହନ, ହୋଟେଲ, ବ୍ୟାଙ୍କିଙ୍ଗ୍‌ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ।

Share