ପ୍ରତିଶ୍ରୁତି

ଗଣମାଧ୍ୟମ ନିରପେକ୍ଷ ରହୁ କହିଦେବା ସହଜ, କିନ୍ତୁ ତାହାକୁ ବଜାୟ ରଖିବା କଷ୍ଟକର। ଗଣମାଧ୍ୟମ ନିଜର ଚାହିଦା ମେଣ୍ଟାଇବା ପାଇଁ ନିରପେକ୍ଷ ରହିବା ଅଯଥା ବୋଲି ଅନେକ ମାଲିକ ଭାବିଲେଣି। କାରଣ ସଂସ୍ଥାର ଆର୍ଥିକ ପରିସ୍ଥିତି ଦୁର୍ବଳ ହେଉଛି କିମ୍ବା ଋଣ ଦେଇଥିବା ସଂସ୍ଥାର ଅଯଥା ଚାପ ପଡୁଛି, ନଚେତ୍‌ ରାଜନୈତିକ ବା କର୍ପୋରେଟ ସମ୍ପୃକ୍ତି ପ୍ରବେଶ କରୁଥିବାରୁ ସେଠାରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ବାଭାବିକ। ସେହିଭଳି ପରିସ୍ଥିତିରେ ବାସ୍ତବ ଖବର ପ୍ରସାର କରିବା କିମ୍ବା ଲୋକଙ୍କ ମନର କଥା ପଦାକୁ ଆଣିବା ଗୁରୁତ୍ୱ ରଖୁନାହିଁ। ବିଭିନ୍ନ ପ୍ରକାରର ଭୟ ଓ ଲାଳସା ଦେଖାଇ ସାମ୍ବାଦିକମାନଙ୍କୁ ହାତେଇ ନେବାପାଇଁ ଥାନାର ଆଇଆଇସିଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିଥିବା ହେତୁ ଗଣମାଧ୍ୟମର ଚରିତ୍ରକୁ ପ୍ରଶ୍ନବାଚୀରେ ରଖିଦେଉଛି।
ଏଠାରେ ୟୁରୋପୀୟ ଦେଶ ଚେକ୍‌ ରିପବ୍ଲିକ୍‌ର ଉଦାହରଣ ଦେଖାଯାଇପାରେ। ସେଠାରେ ପ୍ରତ୍ୟେକ ନାଗରିକଙ୍କଠାରୁ ଆଦାୟ କରାଯାଉଥିବା ଟିକସର ସ୍ବଳ୍ପ ପରିମାଣ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦିଆଯାଉଛି। ନିକଟରେ ଚେକ୍‌ ସରକାର ଘୋଷଣା କରିଥିଲେ ଯେ, ଗଣମାଧ୍ୟମ ସକାଶେ କୌଣସି ଟିକସ ଆଦାୟ କରାଯିବ ନାହିଁ। ସାଧାରଣରେ ଟିକସ ହ୍ରାସ ହେବ ଶୁଣି ନାଗରିକମାନେ ଉତ୍‌ଫୁଲ୍ଲିତ ହେବା କଥା। ତାହା ପରିବର୍ତ୍ତେ ସେହି ଦେଶର ରାଜଧାନୀ ପ୍ରାଗ୍‌ରେ ୧୫ ନଭେମ୍ବରରେ ପ୍ରାୟ ୪ ଲକ୍ଷ ଲୋକ ବିକ୍ଷୋଭ କରି ଦାବି କଲେ ଯେ, ତାଙ୍କ ଗଣମାଧ୍ୟମକୁ ସର୍ବିୟା କିମ୍ବା ହଙ୍ଗେରୀ ଭଳି ହେବାକୁ ଦିଆଯିବା କଥା ନୁହେଁ। ଅର୍ଥାତ୍‌ ଟିକସ ଆଦାୟ କରି, ପୂର୍ବଭଳି ଗଣମାଧ୍ୟମକୁ ଦିଆଯାଉ ଏବଂ ସରକାରଙ୍କ ଦୟାରେ ଗଣମାଧ୍ୟମ ପରିଚାଳିତ ହେବା ଉଚିତ ନୁହେଁ। ଏଭଳି ଗଣତନ୍ତ୍ର ସପକ୍ଷବାଦୀ ଚିନ୍ତାଧାରା ସମ୍ଭବତଃ ସବୁ ଦେଶରେ ଦେଖିବାକୁ ମିଳିବ ନାହିଁ।
ଭାରତରେ ଏବେ ଗଣମାଧ୍ୟମ ସ୍ତରରେ ମଧ୍ୟ ମନୋପଲି ବା ଡୁଅପଲି ଭଳି ମାଲିକାନା ଦେଖିବାକୁ ମିଳୁଛି। ଦୁଇଟି ବୃହତ୍‌ କମ୍ପାନୀ ଅଧିକାଂଶ ଜାତୀୟ ଟେଲିଭିଜନ ସହିତ ଅନେକ ଲୋକପ୍ରିୟ ଡିଜିଟାଲ ଚ୍ୟାନେଲ ଓ ଖବରକାଗଜକୁ ହାତେଇ ନେଇସାରିଲେଣି। ସରକାରଙ୍କ ଏଥିରେ ସକ୍ରିୟ ସହଯୋଗ ଥିବା ହେତୁ କାର୍ଯ୍ୟ ସହଜସାଧ୍ୟ ହେଉଛି। ଏଭଳି ଦିଶାରେ ଗଣମାଧ୍ୟମ ଯାଉଥିବାରୁ ଯନ୍ତରମନ୍ତର ଭଳି ପ୍ରତିବାଦ ସଭାରେ ଖବରଦାତାମାନଙ୍କୁ ମାଡ଼ ସହ ଟିଟ୍‌କାରୀ ସହିବାକୁ ପଡୁଛି। ଏହା ସ୍ବାଭାବିକ ପାଲଟିଗଲାଣି କାରଣ ଧାରଣା ସୃଷ୍ଟି ହୋଇଛି ଯେ ଅଧିକାଂଶ ଗଣମାଧ୍ୟମ ଏବେ ‘ଗୋଦି ମିଡିଆ’ ବା ଶାସକଙ୍କ କୋଳରେ ବସିରହୁଛି। ବଡ଼ କମ୍ପାନୀ ବା ବ୍ୟବସାୟୀମାନେ ଗଣମାଧ୍ୟମରେ ଅର୍ଥ ଲଗାଇ ନିଜର ସୁରକ୍ଷା ଖୋଜିଥାନ୍ତି। ଗଣମାଧ୍ୟମର ଆଢୁଆଳରେ କ୍ଷମତାସୀନ ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ବା ସମ୍ଭବପର ହୋଇଥାଏ। ଗଣମାଧ୍ୟମ ରୋଜଗାରକୁ ନେଇ ସେମାନେ ଲାଭକ୍ଷତି ହିସାବ କରନ୍ତି ନାହିଁ। ଖଣି, ଶିଳ୍ପ ଏବଂ ବ୍ୟବସାୟର ଆୟକୁ ସୁରକ୍ଷିତ ରଖିବା ପାଇଁ ଗଣମାଧ୍ୟମ ହେଉଛି ଢାଲ। ସରକାରରେ ଥିବା ରାଜନେତାଙ୍କ ପାଇଁ ଏହିଭଳି ଗଣମାଧ୍ୟମ ଓ ତା’ ପଛରେ ଥିବା କୋଟିପତି ସୁହାଇଥାଆନ୍ତି।
ସବୁ ଦେଶରେ ଏବେ କ୍ଷୁଦ୍ର ଗଣମାଧ୍ୟମ ଉପରେ ଭରସା ବୃଦ୍ଧି ପାଉଛି। ନିକଟରେ ସର୍ବିୟାର ପୂର୍ବତନ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଭୁଚିଚ୍‌ଙ୍କ ନିର୍ବାଚନୀ ପରାଜୟ ପରେ ସେହି ଦେଶର କୋଟିପତିମାନଙ୍କ ଦ୍ୱାରା ପରିଚାଳିତ ଇଲେକ୍‌ଟ୍ରୋନିକ୍‌ ଏବଂ ଛାପା ଗଣମାଧ୍ୟମଗୁଡ଼ିକ ମିଳିତ ଭାବେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରି ସ୍ବୀକାର କରିଥିଲେ ଯେ, ଦୀର୍ଘ ବର୍ଷ ଧରି ସେମାନେ ସରକାରୀ ମିଥ୍ୟା କଥା ଜନସାଧାରଣଙ୍କୁ ଶୁଣାଉଥିଲେ। ଏଭଳି ପରିସ୍ଥିତି ଭାରତରେ କେବେ ଉପୁଜିବ ବୋଲି ବିଶ୍ୱାସ ହେଉନାହିଁ। କାରଣ ଗୋଟିଏ ଦଳକୁ ଅର୍ଥ ଯୋଗାଉଥିବା କୋଟିପତି ଅନ୍ୟ ଦଳକୁ ମଧ୍ୟ ପୋଷିକି ରଖିଛନ୍ତି। ନୂଆ ଶାସକଙ୍କ କୋଳରେ କ୍ଷଣକ ଭିତରେ ବସିଯିବେ। ଲୋକେ ଯେଉଁ ଭକୁଆକୁ ସେହି ଭକୁଆ ରହିବେ। ସର୍ବିୟା ଭଳି ଗୋଟିଏ ରାତିରେ ଭାରତର ସବୁ ଗଣମାଧ୍ୟମ ଆଖିପିଛୁଳାକେ ପଲଟିଯିବେ। ସେତେବେଳେ ଯିଏ ପ୍ରଧାନ ହେବେ ତାଙ୍କର ବିଜୟ ଶୋଭାଯାତ୍ରାର ଚିତ୍ର ଭାରତର ଘରେ ଘରେ ଦେଖିବାକୁ ମିଳିବ।
ପୁରୁଣା କୋଳକୁ ଗୋଇଠା ମାରିବାରେ ସମୟ ନଷ୍ଟ ହେବ ନାହିଁ। ଏଭଳି ବାତାବରଣରେ ସଚ୍ଚୋଟ ଏବଂ ତଥ୍ୟଭିତ୍ତିକ ଖବର ପରିବେଷଣର ଗୁରୁତ୍ୱ ବୁଝୁଛୁ। ଆମେ ଧରିତ୍ରୀରେ ନିଜର ପାଠିକାପାଠକଙ୍କ ପ୍ରତି ଦାୟିତ୍ୱକୁ ସବୁବେଳେ ବଜାୟ ରଖିବୁ। ଏହା ଆମର ପ୍ରତିଶ୍ରୁତି।

 

Dharitri – Odisha’s No.1 Odia Daily