ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଲା ଜାତୀୟ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର,୨ା୩,(ବ୍ୟୁରୋ): ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିିୟ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ପ୍ରଫେସର ଡ. ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଛି ଜାତୀୟ ପୁରସ୍କାର। ୨୦୨୧ ଲାଗି ନ୍ୟାଶନାଲ କାଉନସିଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ଆଓ୍ବାର୍ଡ ପାଇ ସେ ରାଜ୍ୟର ସୁନାମ ବଢ଼ାଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଡ. ପରିଡ଼ାଙ୍କୁ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ପୁରସ୍କୃତ କରିଥିଲେ। ଦୀର୍ଘ ୫୫ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ନିଜ ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିୟ କରାଇ ଆସୁଥିବା ଡ. ପରିଡ଼ାଙ୍କର ଓଡ଼ିଆ ଓ ଇଂରାଜୀରେ ୧୦୨ ପୁସ୍ତକ ଏବଂ ୩ ହଜାରରୁ ଅଧିକ ଲେଖା ପ୍ରକାଶିତ ହୋଇଛି। ଏଥିଲାଗି ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସର୍ବଭାରତୀୟ ଜନ ବିଜ୍ଞାନ କଂଗ୍ରେସ ସମେତ ବହୁ ସୁନାମଧନ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।