ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା ମନ୍ଥର ହୋଇ ପଡ଼ିଛି। ଜିଲାର ମଣ୍ଡି ଗୁଡ଼ିକୁ ବିକ୍ରି ପାଇଁ ହଜାର ହଜାର ବସ୍ତା(ପକେଟ୍‌) ଧାନ ଆସୁଛି। ହେଲେ ସଂଗୃହୀତ ଧାନ ଅନୁପାତରେ ତାକୁ କିଣାଯାଉ ନାହିଁ । ସେହିପରି ମିଲର୍ସମାନେ ମଧ୍ୟ ନିୟମିତ ଆସୁନଥିବା ପରିଲକ୍ଷିତ ହେଉଛି। କାଁ ଭାଁ କିଛି ମିଲର୍ସ କେତେକ ନିର୍ଦ୍ଦିଷ୍ଟ ମଣ୍ଡିରୁ ଲୋକ ଦେଖାଣିଆ ଧାନ ଉଠାଉଛନ୍ତି । ଫଳରେ ମଣ୍ଡି ଗୁଡ଼ିକରେ ବିକ୍ରି ହୋଇ ନଥିବା ଧାନ ପରିମାଣ ଦିନକୁ ଦିନ ବଢ଼ି ଚାଲିଛି ।

ଅପରପକ୍ଷରେ ଗୋଟିଏ ପଟେ କାଳବୈଶାଖୀ ପ୍ରଭାବରେ ମାଡ଼ି ଆସୁଥିବା ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଉଥିବାବେଳେ ଅନ୍ୟପଟେ ବେପାରୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି । କମ୍‌ ଦରରେ ଧାନ କିଣିବା ପାଇଁ ସେମାନେ ମସୁଧା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳୁଛି । ଗାଁ ଗାଁକୁ ପହଞ୍ଚି ସମ୍ପୃକ୍ତ ବେପାରୀମାନେ ଚାଷୀଙ୍କୁ ଭେଟୁଥିବା ଏବଂ ଧାନକିଣା ମୂଲଚାଲ୍‌ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଗତବର୍ଷ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଭଳି ଏଥର ରବି ଧାନ କିଣାବିକାରେ ମଧ୍ୟ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି । ଜିଲାରେ ଗତ ୧୧ ତାରିଖରୁ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧିନରେ ୧୮୩ ମଣ୍ଡି ଖୋଲିଛି । ମଣ୍ଡି ଖୋଲିବା ପରେ ଧାନବିକ୍ରି ଟୋକନ ପାଇଥିବା ଚାଷୀମାନେ ବିକ୍ରି ପାଇଁ ନିର୍ଦ୍ଧାରୀତ ମଣ୍ଡିକୁ ଆଣୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା ଆଶାନୁରୂପ ହୋଇପାରି ନାହିଁ ।

ଶନିବାର ସୁଦ୍ଧା ଅତାବିରା ଆରଏମସି ଅଧିନ ମଣ୍ଡି ଗୁଡ଼ିକୁ ୭୮ହଜାର ୩୮୦ ପକେଟ୍‌ ଧାନ ଆସିଛି । ସେଥିରୁ ମାତ୍ର ୨୭ହଜାର ୬୧୦ ପକେଟ୍‌ ଧାନ ବିକ୍ରି ହୋଇଛି । ଆହୁରି ୫୦ହଜାର ୭୭୦ ପକେଟ୍‌ ଧାନ ଅତାବିରା ଅରଏମସି ଅଧିନ ବିଭିନ୍ନ ମଣ୍ଡି ଗୁଡ଼ିକରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ସେହିପରି ବରଗଡ଼ ଆରଏମସି ଅଧିନ ମଣ୍ଡି ଗୁଡ଼ିକୁ ୬୧ ଜଣ ଚାଷୀ ୭୭୮୧ ପକେଟ୍‌ ଧାନ ବିକ୍ରି ପାଇଁ ଆଣିଛନ୍ତି । ସେମାନଙ୍କ ମ୍ଯଯରୁ ୪୬ ଜଣ ଚାଷୀଙ୍କ ୬୮୩୯ ପକେଟ୍‌ ଧାନ ବିକ୍ରି ହୋଇଛି । ଅନ୍ୟ ୧୫ଜଣ ଚାଷୀଙ୍କ ୯୪୨ ପକେଟ୍‌ ଧାନ ବିକ୍ରି ଅପେକ୍ଷାରେ ମଣ୍ଡିରେ ପଡ଼ି ରହିଥିବା ସୂଚନା ମିଳିଛି । ପଦ୍ମପୁର ଆରଏମସି ଅଧିନ ମଣ୍ଡି ଗୁଡ଼ିକରେ ମଧ୍ୟ ଧାନ ବିକ୍ରିବଟା ଶୀଥିଳ ହୋଇ ପଡ଼ିଛି । ଏଠାରେ ରହିଥିବା ବିଭିନ୍ନ ମଣ୍ଡିକୁ ୧୮ହଜାର ୨୫୭ପକେଟ୍‌ ଧାନ ବିକ୍ରି ପାଇଁ ପହଞ୍ଚିଛି। କିନ୍ତୁ ମାତ୍ର ୧୫୭୫ ପକେଟ୍‌ ଧାନ ବିକ୍ରି ହୋଇଥିବାବେଳେ ଆହୁରି ୧୬ ହଜାର ୬୮୨ ପକେଟ୍‌ ଧାନ ବିକ୍ରି ନହୋଇ ପଡ଼ି ରହିଛି ।
ମଣ୍ଡିକୁ ଧାନ ଆସୁଥିବାବେଳେ ଉଠାଣ ପାଇଁ ମିଲର୍ସମାନେ ଆସୁ ନାହାନ୍ତି । ଫଳରେ ଧାନ ବିକ୍ରିବଟା ଏବଂ ଧାନ ଉଠାଣ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅଭିଯୋଗ ହେଉଛି । ତେବେ ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଧାନବିକ୍ରି ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ଚାଷୀମାନେ ଧାନ ଅମଳ କରି ସାରିଛନ୍ତି । ମାତ୍ର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳି ନଥିବା ଯୋଗୁ ସେମାନେ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି । ଟୋକନ ପାଇବା ପରେ ସେମାନେ ମଣ୍ଡିକୁ ଧାନ ଆଣିବା ପରେ ଏହି ସମସ୍ୟା ବହୁଗୁଣିତ ହୋଇ ପଡ଼ିବ ବୋଲି ଏବେଠାରୁ ଜଳଜଳ ହୋଇ ଦିଶୁଛି । ଅନ୍ୟପଟେ ଗତବର୍ଷ ରବି ଓ ଖରିଫରେ କଷ୍ଟମ ମିଲିଂ ଭିତ୍ତିରେ ନେଇଥିବା ଧାନରୁ ଉତ୍ପାଦିତ ଚାଉଲକୁ ଏଫସିଆଇ ଉଠାଉ ନାହିଁ ଏବଂ ସେହି ଚାଉଲରେ ରାଇସ୍‌ ମିଲ୍‌ ଗୁଡ଼ିକର ଗୋଦାମ ପୂରି ରହିଛି । ଧାନ ଗଚ୍ଛିତ ରଖିବାକୁ ମିଲ୍‌ ଗୁଡ଼ିକରେ ଆଉ ଜାଗା ନାହିଁ । ଏଭଳି ସ୍ଥିତିରେ ମଣ୍ଡିରୁ ଧାନ ଉଠାଇଲେ ତାକୁ କେଉଁଠାରେ ସୁରକ୍ଷିତ ରଖିବେ ବୋଲି ଜଣେ ମିଲର୍‌ କହିଛନ୍ତି । ତେବେ ନିର୍ଦ୍ଧାରୀତ ସମୟରେ ଗୋଟିଏପଟେ ମଣ୍ଡିରୁ ଧାନ ଏବଂ ଅନ୍ୟପଟେ ଗୋଦାମରୁ ଚାଉଳ ଉଠାଣ ହୋଇ ନ ପାରିବା ଘଟଣାରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରୀ କଳର ଅପାରଗତା ପଦାରେ ପଡ଼ି ଯାଇଛି ବୋଲି ସାଧାରଣରେ ଆଲୋଚିତ ହେଉଛି ।

 

Dharitri – Odisha’s No.1 Odia Daily

Share
Tags: bargarh news