ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ ମିଳିଛି। ଆଠମଲିକ ବ୍ଲକ ସାପଘରା ପଞ୍ଚାୟତ ଖମାର ଗ୍ରାମରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ଆକାର ଧାରଣ କରିଛି। ଫଳରେ ଗ୍ରାମବାସୀ ପିଇବା ପାଣିକୁ ନେଇ ବଡ଼ ଡହଳବିକଳ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମରେ ୭୦ ପରିବାରର ୪ ଶହ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟା ଦେଖାଯାଇଛି। ଆବଶ୍ୟକ ପାଣି ମିଳୁ ନ ଥିବା ଯୋଗୁ ଗ୍ରାମର ମହିଳା ମାନେ ୧ କିମି ଦୂରରୁ ପାଣି ଆଣୁଛନ୍ତି। ପଞ୍ଚୟତର ୩ ନମ୍ବର ୱାର୍ଡରେ ଏହି ଗ୍ରାମ ଥିବା ବେଳେ ପାଣି ପାଇଁ ୩ଟି ନଳକୂଅ ଓ ଗୋଟିଏ ଖୋଲା କୂଅ ରହିଛି। ସେଥିମଧ୍ୟରୁ ୨ ଟି ଅଚଳ ଥିବାବେଳେ ଗୋଟିଏ ନଳକୂଅରୁ ଜଳସ୍ତର କମିଯିବା ଯୋଗୁ ପାଣି ବାହାରୁ ନାହିଁ। ଏକ ଘଣ୍ଟା ମାରିଲେ ଗୋଟିଏ ଗରା ପାଣି ବାହାରୁଛି। ସେହିପରି ଖୋଲା କୂଅରୁ ମଧ୍ୟ ପାଣି ଶୁଖିଯାଇଥିବା ଯୋଗୁ ପାଣି ମିଳୁନାହିଁ। ସରକାରଙ୍କ ପକ୍ଷରୁ ୨୦୧୫ ମସିହାରେ ସୋଲାର ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ହେଲେ ୧ ବର୍ଷ ହେବ ଅଚଳ ହୋଇପଡିଥିଲେ ହେଁ ମରାମତି କରାଯାଉ ନ ଥିବା ଯୋଗୁ ପାଣି ଯୋଗାଣ ବନ୍ଦ ରହିଛି। ଜାନୁଆରୀ ମାସରୁ ଜଳସଙ୍କଟ ଦେଖାଯାଇଥିବାବେଳେ ୩ ମାସ ହେବ ୧ କିମି ଦୂରରେ ଏକ ଖୋଲାକୂଅରୁ ପ୍ରତ୍ୟେକ ଦିନ ପାଣି ଆଣି ବ୍ୟବହାର କରୁଛନ୍ତି। ଗ୍ରାମ ନିକଟରେ ଥିବା ପୋଖରୀ ଶୁଖି ଗଲାଣି। ଗ୍ରାମର ଯୁବକମାନେ ୨ କି.ମି ଦୂରରେ ଥିବା ଏକ ନାଳକୁ ଶୌଚ କରିବା ପାଇଁ ଯାଉଛନ୍ତି। ଗ୍ରାମରେ ଥିବା ଗୋରୁମାନେ ମଧ୍ୟ ପାଣି ପିଇବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅଞ୍ଚଳବାସୀ ତା ୨ ନଭେମ୍ବର ୨୦୨୧ ଓ ୧୪ ମାର୍ଚ୍ଚ ୨୦୨୩ରେ ବ୍ଲକ ପ୍ରଶାସନ ଓ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଏହି ଗ୍ରାମ ଥିବା ଯୋଗୁ ପାଣି ଠିକ୍‌ ଭାବେ ମିଳୁ ନାହିଁ ଓ ଅଚଳ ପ୍ରକଳ୍ପ ଗୁଡିକ ମରାମତି କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏକ ଟ୍ୟାଙ୍କର ଯୋଗେ ଜଳଯୋଗାଣ ପାଇଁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏ ନେଇ ଆଠମଲିକ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ଉମାକାନ୍ତ ବେହେରା କୁହନ୍ତି, ଖମାର ଗ୍ରାମରେ ଅଚଳ ଥିବା ନଳକୂଅକୁ ସଚଳ କରିବା ପାଇଁ ଶୀଘ୍ର ପଦେକ୍ଷେପ ନିଆଯିବ।