ନୂଆଦିଲ୍ଲୀ, ୨୫।୧୧: ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ମଧ୍ୟରେ ବୟସର ନିଶ୍ଚିତ ଭାବେ ଫରକ ରହିଛି। କିନ୍ତୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଖୁବ ନିଆରା। ସବୁଠାରୁ ଖାସ କଥା ହେଉଛି, ଏହି ଦୁଇ ବନ୍ଧୁ ଗୋଟିଏ ଦିନରେ କ୍ରିକେଟ ପଡ଼ିଆରେ ଧମାକା କରିଛନ୍ତି। ପ୍ରଥମେ ପ୍ରିୟାଂଶ ଆର୍ଯ୍ୟ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ। ଏହାପରେ ବୈଭବ ସୂର୍ଯ୍ୟବଂଶୀ ଯାହା କରିଥିଲେ, ତାହାର ପ୍ରଶଂସା କରିବାକୁ ଶବ୍ଦର ଅଭାବ ପଡ଼ିଯିବ। ଦିନ ଗୋଟିଏ ଥିଲା, କିନ୍ତୁ ଖେଳିବାର ସ୍ଥାନ ଭିନ୍ନ ଥିଲା। ବ୍ୟାଟିଂ ଶୈଳୀ ସମାନ ଥିଲା, ହେଲେ ଫର୍ମାଟ ଅଲଗା ଥିଲା।
କାର୍ତ୍ତିକ ପୂର୍ଣ୍ଣିମା ତଥା ପବିତ୍ର ଗୁରୁ ନାନକ ଜୟନ୍ତୀ ଅବସରରେ ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟ କ୍ରିକେଟରେ ୨୨ ଗଜର ପିଚ୍ରେ ଯେଉଁ ଧମାକା କରିଥିଲେ, ତାହା ସମସ୍ତଙ୍କ ମନ ଜିଣି ନେଇଥିଲା। ଏହି ଦୁଇ ଖେଳାଳି ଅନେକ ରେକର୍ଡ ଭାଙ୍ଗିଥିବାରୁ ସାରା ବିଶ୍ୱରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ତେବେ ପରସ୍ପରକୁ ପ୍ରଶଂସା କରିବାରେ ମଧ୍ୟ ଦୁହେଁ ପଛରେ ନାହାନ୍ତି।
ପ୍ରଶଂସାର ଆରମ୍ଭ ପ୍ରିୟାଂଶ ଆର୍ଯ୍ୟ କରିଥିଲେ। କ୍ରିକେଟ ପଡ଼ିଆରେ ପ୍ରଥମେ ତାଣ୍ଡବ ମଧ୍ୟ ସେ ହିଁ ରଚିଥିଲେ। ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି ୨୦୨୬ରେ ନଭେମ୍ବର ୨୪ ତାରିଖରେ ତାମିଲନାଡୁ ବିପକ୍ଷ ମ୍ୟାଚରେ ଦିଲ୍ଲୀର ଅଧିନାୟକ ତଥା ଓପନିଂ ବ୍ୟାଟର୍ ଭାବେ ଖେଳି ପ୍ରିୟାଂଶ ମାତ୍ର ୬୮ଟି ବଲରେ ୧୯ଟି ଛକା ସହ ୧୮୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ୨୬୬ ଷ୍ଟ୍ରାଇକ ରେଟ୍ରେ ଖେଳିଥିବା ତାଙ୍କର ଏହି ଇନିଂସରେ ଟି-୨୦ କ୍ରିକେଟରେ ଅନେକ ବଡ଼ ରେକର୍ଡ ଭାଙ୍ଗିଯାଇଥିଲା।
ଭାରତୀୟ ମାଟିରେ ଟି-୨୦ କ୍ରିକେଟରେ ଏକ ବଡ଼ ଧମାକା କରି ପ୍ରିୟାଂଶ ଦିଲ୍ଲୀକୁ ତାମିଲନାଡୁ ବିପକ୍ଷରେ ବଡ଼ ବିଜୟ ଦେଇଥିଲେ। ତେବେ ଏହାପରେ ସେ ଦୋହାରେ ଖେଳୁଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ ଦେଖିଥିଲେ। ଭାରତୀୟ ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଦୋହାରେ ଇଣ୍ଡିଆ-ଏ ପକ୍ଷରୁ ଖେଳୁଥିବା ବୈଭବ ୟୁଏଇ ବିପକ୍ଷ ଲିଷ୍ଟ-ଏ ମ୍ୟାଚ୍ରେ ମାତ୍ର ୫୩ଟି ବଲରେ ୨୦୪ ରନ କରିଥିଲେ। ଏହି ଇନିଂସରେ ସେ ୨୮ଟି ଛକା ମାରିଥିଲେ।
ବୈଭବଙ୍କ ଛକା ବର୍ଷା ଏବଂ ୩୮୪ରୁ ଅଧିକ ଷ୍ଟ୍ରାଇକ ରେଟ୍ରେ ଏହି ବିସ୍ଫୋରକ ଇନିଂସ ଦେଖିବା ପରେ ପ୍ରିୟାଂଶ ତାଙ୍କୁ ପ୍ରଶଂସା ନକରି ରହିପାରିନଥିଲେ। ବୈଭବଙ୍କ ବ୍ୟାଟିଂ ଦେଖିବା ପରେ ପ୍ରିୟାଂଶ କହିଥିଲେ ଯେ, ସେ ଏପରି ବ୍ୟାଟିଂ କରୁଥିଲେ, ଯେମିତି କୌଣସି ଭିଡିଓ ଗେମ ଖେଳୁଛନ୍ତି।
ଏବେ ସୋସିଆଲ ମିଡିଆର ଯୁଗ। ତେଣୁ ପ୍ରିୟାଂଶ ଆର୍ଯ୍ୟଙ୍କ ଏହି ପ୍ରଶଂସା ବୈଭବ ସୂର୍ଯ୍ୟବଂଶୀଙ୍କ ନିକଟରେ ପହଞ୍ଚିବାକୁ ବେଶି ସମୟ ଲାଗିନଥିଲା। ପ୍ରିୟାଂଶଙ୍କଠାରୁ ନିଜ ପାଇଁ ଦୁଇ ପଦ ପ୍ରଶଂସା ଶୁଣିବା ପରେ ବୈଭବ ମଧ୍ୟ ତାଙ୍କର ୧୮୧ ରନର ବିସ୍ଫୋରକ ଇନିଂସକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ ନିଜ ମୋବାଇଲ ଉଠାଇ ପ୍ରିୟାଂଶଙ୍କ ଫଟୋକୁ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିବା ସହ ତାଙ୍କର ଧୂଆଁଧାର ଶତକୀୟ ଇନିଂସକୁ ‘ଅଦ୍ଭୁତ’ ବୋଲି କହିଥିଲେ।
ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ମଧ୍ୟରେ କେବଳ ବନ୍ଧୁତା ହିଁ ନିଆରା ନୁହେଁ, ବରଂ ଉଭୟଙ୍କ ମିଜାଜ ଏବଂ ଖେଳିବାର ଶୈଳୀ ମଧ୍ୟ ପ୍ରାୟ ସମାନ। ଉଭୟ ବାମହାତୀ ବ୍ୟାଟର୍। ଦୁହିଁଙ୍କୁ ଓପନିଂ କରିବାକୁ ଭଲ ଲାଗେ। ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି ଏବଂ ବିପକ୍ଷ ବୋଲରଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହୁଅନ୍ତି।