ମହିଳା ବେଶରେ ଏସ୍‌ସିବିରୁ କଏଦୀ ଚମ୍ପଟ

କଟକ ଅଫିସ,୨ା୬: କଟକ ଏସ୍‌ସିବି ମେଡିକାଲରୁ ଗୁରୁବାର ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ନାଉଗାଁ ଅଞ୍ଚଳର ସାଜନ ଦାସ। ଏ ନେଇ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ସାଜନଙ୍କୁ ଧରିବା ପାଇଁ ପୋଲିସ ଡାକ୍ତରଖାନା ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ସାଜନ ନାଉଗାଁ ଅଞ୍ଚଳରେ ଚୋରି, ଲୁଟ୍‌ ଭଳି ଆପରାଧିକ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବେ ନାଉଗାଁ ପୋଲିସ ତାଙ୍କୁ ଗିରଫ କରି ଚୌଦ୍ୱାର ଜେଲ ପଠାଇଥିଲା। ଜେଲରେ ଥିବା ସମୟରେ ସାଜନଙ୍କୁ ବାତ ମାରିଥିଲା। ଫଳରେ ଜେଲ ପକ୍ଷରୁ ସାଜନଙ୍କୁ ଏସ୍‌ସିବି ମେଡିକାଲର ନ୍ୟୁ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୱାର୍ଡର ବେଡ୍‌ ନଂ. ୧୭୨ରେ ସେ ଚିକିତ୍ସିତ ହେଉଥିଲେ। ସେଠାରେ ଚୌଦ୍ୱାର ଜେଲ୍‌ର ୩ଜଣ କର୍ମଚାରୀ ତାଙ୍କୁ ଜଗି ରହିଥିଲେ। ଗୁରୁବାର ସେ ଶୌଚ ହେବାକୁ କହିବାରୁ ସୁରକ୍ଷା କର୍ମଚାରୀମାନେ ବିଶ୍ୱାସ କରି ତାଙ୍କୁ ଛାଡ଼ି ଦେଇଥିଲେ। ୱାର୍ଡ ପାଖରେ ଥିବା ପୁରୁଷ ଶୌଚାଳୟକୁ ନ ଯାଇ ସେ ମହିଳା ଶୌଚାଳୟକୁ ଯାଇଥିଲେ। ହେଲେ ଏ ବାବଦରେ ଜେଲ କର୍ମଚାରୀମାନେ ଜାଣି ପାରି ନ ଥିଲେ। ସାଜନ ସେହି ଶୌଚାଳୟ ମଧ୍ୟରେ ଏକ ଶାଢ଼ି ପିନ୍ଧି ବାହାରକୁ ପଳାଇ ଯାଇଥିଲେ ସୁଦ୍ଧା ସୁରକ୍ଷା କର୍ମୀମାନେ ଜାଣିପାରି ନ ଥିଲେ। ତେବେ ପାଇଖାନାକୁ ଯିବାର ୩ ଘଣ୍ଟା ବିତିଯିବା ପରେ ବି ସେ ନ ଫେରିବାରୁ ସୁରକ୍ଷା କର୍ମୀଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ପାଇଖାନାଗୁଡ଼ିକରେ ଖୋଜିବା ପରେ ମହିଳା ଶୌଚାଳୟରୁ ସାଜନଙ୍କ ପ୍ୟାଣ୍ଟ, ଶାର୍ଟ ଓ ଗାମୁଛା ମିଳିଥିଲା। ଫଳରେ ସେ ଖସିଯାଇଥିବା ଜଣାପଡ଼ିଥିଲା। ସୁରକ୍ଷା କର୍ମୀମାନେ ଏ ସମ୍ପର୍କରେ ଜେଲ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।