ପୁରବନ୍ଦୀ ଘର- ପ୍ରାଥମିକ ଶିକ୍ଷା

ପୁରବନ୍ଦୀ ଘର ବିଶେଷଭାବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଉଥିଲା। ଏବେ ଆଉ ଏହି ପ୍ରକାର ଘର କେଉଁଠି ନା କେଉଁଠି ଥିବ! ଏହି ଘରର ଗଢ଼ଣ ଶୈଳୀ ହେଉଛି – ଗୋଟେ ଦାଣ୍ଡ ଦୁଆର, ଆଉ ଗୋଟେ ବାଡ଼ି ଦୁଆର। ମଝିରେ ଅଗଣା। ଦାଣ୍ଡ ଦୁଆର, ବାଡ଼ି ଦୁଆର ଆଉ ଘର ଭିତରେ ଯେତକ ଦୁଆର ଥାଏ ସବୁଥିରେ ଯାଉଁଳି କବାଟ। ଇଶାଣ ଶାଳ, ଠାକୁର ଘର, ଧାନ ଚାଉଳ ଘର ଆଦି ସବୁକିଛି ଏହି ପୁରବନ୍ଦୀ ଘର ଭିତରେ। ଗାଁର ଥିଲାବାଲା ଲୋକ ପୁରବନ୍ଦୀ ଘର ତିଆରୁଥିଲେ। ପୁରବନ୍ଦୀ ଘରର ଆଉ ଏକ ନଁା ମଧ୍ୟ ଅଛି-ଖଞ୍ଜାଘର। ଖଞ୍ଜାଘର ବା ପୁରବନ୍ଦୀ ଘର ହେଉଛି ଆୟତ୍ତାକାର କ୍ଷେତ୍ରଭଳି। ପ୍ରତି କୋଠରିର କାନ୍ଥ ଅନ୍ୟ କାନ୍ଥ ସହ ସଂଶ୍ଳିଷ୍ଟ ଥାଏ। କେହି କାହାଠାରୁ ଅଲଗା ନୁହନ୍ତି। ପ୍ରାଥମିକ ଶିକ୍ଷାକୁ ପୁରବନ୍ଦୀ ଘର ବା ଖଞ୍ଜାଘର ସହ ସମବାଚୀ କରି ଆଣିବା ଆଉ ଏକ ଅବସର। ପ୍ରାଥମିକ ଶିକ୍ଷା କେନ୍ଦ୍ରର ନାନାବିଧ ଚିତ୍ର ଆମ ଅନେକଙ୍କର ମଗଜରେ ଅଛି। କେତେ ପରିମାଣରେ ଅଛି ତାହା ଭିନ୍ନ କଥା । ମାତ୍ର ମଗଜରେ ରହିଛି। କହିବାର କାରଣ ହେଲା ଯେତେଯାହା ହେଲେ ମଧ୍ୟ ପ୍ରାଥମିକ ଶିକ୍ଷା ହେଉଛି ଏକ ପୁରବନ୍ଦୀ ଘର। ପ୍ରାଥମିକ ଶିକ୍ଷା କହିଲେ ଆମ ମକଦମ୍‌ମାନଙ୍କରେ ଥିବା ପ୍ରାଥମିକ ଶିକ୍ଷାକେନ୍ଦ୍ର ବା ସ୍କୁଲକୁ ହିଁ ବୁଝାଇଥାଏ। ଶିକ୍ଷକ ଅଭିଭାବକ ଗୋଷ୍ଠୀ, ଛାତ୍ରୀଛାତ୍ର ଓ କାର୍ଯ୍ୟପାଳିକା ବ୍ୟବସ୍ଥାକୁ ପୁରବନ୍ଦୀ ଘରର ଚାରିପ୍ରସ୍ଥ ଘର ଭାବେ ବିଚାର କରାଯାଇପାରେ। ଏହି ଚାରିପ୍ରସ୍ଥ କେହି କାହାଠାରୁ ଅଲଗା ହେଲେ କାନ୍ଥ ପଡ଼ିଯାଏ। ଖଞ୍ଜାଘର ଭାଙ୍ଗିଯାଏ । ପ୍ରାଥମିକ ସ୍କୁଲ ବା ଶିକ୍ଷାକେନ୍ଦ୍ର ଆଣନ୍ତି ତାହାର ପ୍ରଭାବ ସେହି ଅଞ୍ଚଳରେ ପଡ଼େ। ଚାରିପ୍ରସ୍ଥର ସମ୍ପୃକ୍ତ ଯେତେଟାଣ ଏ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଭାବଟି ସେତେ ଅଧିକ। ସ୍କୁଲକୁ କେନ୍ଦ୍ରକରି ଥିବା ଜନସମୁଦ୍ରର ଭିତରେ ଏହାର ସ୍ବଭାବ ସେତେ ପରିମାଣରେ ସୁଲଭ। ମାତ୍ର ଏହି ଚାରିପ୍ରସ୍ଥ ଭିତରୁ ଅଭିଭାବକ ପ୍ରସ୍ଥର ସମ୍ପୃକ୍ତି ପ୍ରାଥମିକ ଶିକ୍ଷାକେନ୍ଦ୍ରରେ ବହୁଦୃଷ୍ଟିରୁ ଦୁର୍ବଳ । ଓଡ଼ିଶାର ମାଳ ଅଞ୍ଚଳ ହେଉ କିମ୍ବା ସମତଳ ଅଞ୍ଚଳ ପ୍ରାଥମିକ ଶିକ୍ଷାକେନ୍ଦ୍ରରେ ଅଭିଭାବକ ଗୋଷ୍ଠୀର ସମ୍ପୃକ୍ତି ଏବେ ମଧ୍ୟ ଆଉଟୁ ପାଉଟୁ ଦୃଷ୍ଟି ଆଢୁଆଳରେ। ସମତଳ ଅବା ଅସମତଳ ଭୌଗୋଳିକ ବାତାୟନରେ ତିଷ୍ଠି ରହିଥିବା ପ୍ରାଥମିକ ଶିକ୍ଷାକେନ୍ଦ୍ର ଏକଲା। କେଉଁ ଶିକ୍ଷାକେନ୍ଦ୍ରରେ ଗଛବୃକ୍ଷ ଭର୍ତ୍ତି ତ ଆଉ କେଉଁ ଶିକ୍ଷାକେନ୍ଦ୍ରର ହତାକୁ ଠଉରାଇ ପାରିବା ଅନେକ କଷ୍ଟକର। ଖାତା ଖତିୟାନ୍‌ରେ ପ୍ରାଥମିକ ଶିକ୍ଷା କେନ୍ଦ୍ରର ନିରୂପଣ ଅନେକ ସ୍ଥାନରେ ବିବଦମାନ। ଏହାକୁ ପାରିହେବା ଦାରୁଣ ବ୍ୟାପାର। ମାତ୍ର ଅଭିଭାବକ ଗୋଷ୍ଠୀର ପରିଚୟ ନିରୂପଣ ଦାରୁଣ ତ ନୁହେଁ, କଷ୍ଟକର ନୁହେଁ। ତେବେ ଖଞ୍ଜାନଗା ଘରର ଏହି ପାଖ କାନ୍ଥ ପଡିଯାଉଛି କାହିଁକି ଭଲା।
ଆଇନ ଅନୁସାରେ ପ୍ରତି ପ୍ରାଥମିକ ସ୍କୁଲର ଗୋଟିଏ ଲେଖାଏ ପରିଚାଳନା ସମିତି ଅଛି, ଯାହାର ବୈଠକ ପାଇଁ ପ୍ରଧାନ ଶିକ୍ଷକ ଭାରି ହନ୍ତସନ୍ତ ହୁଅନ୍ତି। ଆଇନ୍‌ର ତାଗିଦା ମାନିବାକୁ ହେବ। ଶୀର୍ଷା ମକଦମ୍‌ରୁ ଜିଲା ମକଦମ୍‌, ଜିଲା ମକଦମ୍‌ର ଜିଲା ଶିକ୍ଷାଧିକାରୀ, ତାଙ୍କ ତଳକୁ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧସ୍ତନ ସିଆର୍‌ସିସି ମହୋଦୟା/ମହୋଦୟ। ସିଆର୍‌ସିସିଙ୍କ ଅଧସ୍ତନ ଯେତକ ପ୍ରାଥମିକ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକବୃନ୍ଦ। ଆଇନ ଅନୁସାରେ ଅଭିଭାବକ ବୈଠକ ନିର୍ଦ୍ଦିଷ୍ଟ ତାରିଖରେ ହେବ ହିଁ ହେବ। ଏହାର ଫଟୋ ଅପଲୋଡ୍‌ ହୋଇ ବିଭାଗୀୟ ଅଧିକାରୀଙ୍କ ନଜରକୁ ଅଣାଯିବ। ଏଥିପାଇଁ ପ୍ରଧାନ ଶିକ୍ଷକ ବହୁପୂର୍ବରୁ ପିଲାଙ୍କ ହାତରେ କେତେବେଳେ ତ ଖବର ଦିଅନ୍ତି ଆଉ କେତେବେଳେ ନିଜେ ନିଜେ ଅଭିଭାବକଙ୍କ ଦ୍ୱାରସ୍ଥ ହୁଅନ୍ତି ମିଟିଂରେ ଯୋଗଦେବା ଲାଗି। ବିଶେଷଭାବେ ସ୍କୁଲ ସଭାପତିଙ୍କ ଉପସ୍ଥିତି ଏହି ମିଟିଂରେ ଖୁବ୍‌ ଲୋଡ଼ା। ମାତ୍ର ଅନେକ ସମୟରେ ଦେଖାଯାଏ ଯେ ସ୍କୁଲ ସଭାପତି ଖୋଦ୍‌ ଜାଣି ନ ଥାନ୍ତି ସେ ସମ୍ପୃକ୍ତ ସ୍କୁଲର ସଭାପତି ଅଛନ୍ତି! ସତରେ ଏହା ଏକ ସମ୍ବେଦନଶୀଳ ସମୀକ୍ଷାର ବିଷୟ। ଅଭିଭାବକ ଗୋଷ୍ଠୀ ଗଁା ପ୍ରାଥମିକ ବିଦ୍ୟାଳୟର ପ୍ରକ୍ରିୟାରେ ନିଜ ନିଜ ପିଲାଙ୍କ ପାଠପଢ଼ାର ଅଗ୍ରଗତିଜନିତ ସୂଚନା, ବିଦ୍ୟାଳୟରେ ଦର୍ଜ ହୋଇଥିବା ନିଜ ପିଲାଙ୍କର ଜନ୍ମତାରିଖ, ବାପା ମା’ଙ୍କ ନାମ, ଆଧାର ନଂ. (ପିଲା,ମା’ବାପା) ପ୍ରଭୃତିକୁ ତନଖି କରିବାରେ ଯଥେଷ୍ଟ ଉଦାସୀନ ରୁହନ୍ତି। ଏହି ଉଦାସୀନ ରହିବା ସ୍ବେଚ୍ଛାକୃତ ନା ପ୍ରାୟୋଜିତ? ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନାମ, ବାପା ମା’ଙ୍କ ନାମ, ଆଧାର କାର୍ଡରେ ଗୋଟାଏ ତ, ସ୍କୁଲରେ ଆଉ ଗୋଟିଏ ଏବଂ ଜନ୍ମ ସାର୍ଟିଫିକେଟ୍‌ରେ ଆଉ ଗୋଟିଏ, ଏହାର ସୁବିଦିତ କାରଣ ହେଲା, ତିନି ଅଧିକାରୀ ଭିନ୍ନଭିନ୍ନ। ଜନ୍ମବେଳେ (ଯଦି ଡାକ୍ତରଖାନା ହୋଇଥାଏ) ଅଧିକାରୀ ଜଣକ ଯେଉଁ ସମ୍ପ୍ରଦାୟଭୁକ୍ତ ସେ ନିଜର ଉଚ୍ଚାରଣ ଶୈଳୀ ମୁତାବକ ନଁା ଦର୍ଜ କରାନ୍ତି। ଯଦି ପିଲା ଘରେ ଜନ୍ମ ହେଲା, ତେବେ ଆଶାକର୍ମୀ / ଅଙ୍ଗନୱାଡି କର୍ମୀ ଅଧିକାରୀ ନିଜ ନିଜର ଉଚ୍ଚାରଣ ଶୈଳୀ ମୁତାବକ ଜନ୍ମ ଶିଶୁର ନାମ ଲେଖାନ୍ତି। ଏସବୁ ଗଲାପରେ ଆଧାରକାର୍ଡ ପ୍ରସଙ୍ଗ। ଆଧାରକାର୍ଡ ଅଧିକାରୀ ଜନ୍ମ ତାରିଖକୁ ନଜରକରି ନିଜ ହସ୍ତ ଓ ମସ୍ତିଷ୍କର ସ୍ବଭାବ ଅନୁସାରେ ପିଲାର ନଁା ଦର୍ଜ କରାନ୍ତି। ତେଣୁ ଦେଖିବାକୁ ମିଳେ ପ୍ରାଥମିକ ଶିକ୍ଷାକେନ୍ଦ୍ରର ପଞ୍ଜୀକରଣ ଖାତାରେ ପିଲାର ନାମ ଆଧାର କାର୍ଡରେ ଖାପ୍‌ ଖାଉ ନାହିଁ। ଏହି ସମସ୍ୟାଟି ଏକାଧାରରେ ବିଷମ ଓ ଭୀଷଣ। ଏହା ଫଳରେ ଅନେକପିଲା ନବୋଦୟ, ଆଦର୍ଶ, କଳିଙ୍ଗ, ଏକଲବ୍ୟ, ସୈନିକ ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି।
କେବଳ ଏତିକି ନୁହେଁ ସ୍କୁଲ ସ୍ତରରେ ଓ ସିଆର୍‌ସିସିଙ୍କ ସ୍ତରରେ କେତୋଟି ଅକ୍ଷର ସଂଶୋଧନ ହେବ ତାହାର ମଧ୍ୟ ନିୟମ ରହିଛି। ଗାର ଡେଇଁଗଲେ କମ୍ପ୍ୟୁଟର ମହାଶୟ ଆପଣଙ୍କ କଥା ଶୁଣିବ ନାହିଁ। ଏସବୁକୁ କିଏ ଆଖିଦେବ ସତରେ! ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା, ଗଁା ପ୍ରାଥମିକ ଶିକ୍ଷାକେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ। ମାତ୍ର ପିଲାଟି କ’ଣ ପଢୁଛି ନ ପଢୁଛି, କିପରି ପଢୁଛି ଏସବୁର ହକ୍‌ ଅଭିଭାବକଙ୍କ ନିକଟରେ ନିହିତ ଥାଏ। ମାତ୍ର ମା’ବାପା ଏସବୁକଥା ପଚାରିବାକୁ ସ୍କୁଲ ହତା ଭିତରକୁ ଆସନ୍ତି ନାହିଁ। ସବୁତକ ବିଶ୍ୱାସ-ଅବିଶ୍ୱାସ ଶିକ୍ଷକଙ୍କ ମୁଣ୍ଡରେ ଅଜାଡ଼ି ଦେଇ ତୁନି ପଡ଼ନ୍ତି। ତେବେ କାହିଁକି ଏକଥା । ଗଁାର ଯୁବଗୋଷ୍ଠୀ ଓ ସ୍କୁଲର ଅଭିଭାବକ ଗୋଷ୍ଠୀ ପୂଜାପାର୍ବଣର ମାହୋଲରେ ନିଜର ଭୂମିକା ଖୁବ୍‌ ଭଲଭାବରେ ତୁଲାଉଥିବା ସ୍ଥଳେ, ଗଁା ପ୍ରାଥମିକ ବିଦ୍ୟାଳୟର ପାଠପଢ଼ାରେ ଏକଚ୍ଛତ୍ରଭାବେ ନିଷ୍କ୍ରିୟ। କଥାଟିଏ ପୂର୍ଣ୍ଣଚ୍ଛେଦ ପକାଇ ସାରିଦେଲେ ହେବ ନାହିଁ। ଏହାର କାରଣ ନିରୂପଣରେ ସମ୍ପୃକ୍ତ ଗଁା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଭୂମିକା ସୁଦୂରପ୍ରସାରୀ। ଏପଟରୁ ପାଦେ ଆଗେଇଲେ ସେପଟରୁ ପାଦେ ଆଗେଇବା ଜରୁରୀ। ଏହା ନ ହେଲେ ପୁରବନ୍ଦୀ ପ୍ରାଥମିକ ଶିକ୍ଷାକେନ୍ଦ୍ରର ଗୋଟେ ପାଖ କାନ୍ଥ ନିହାତି ଭୁଶୁଡ଼ି ପଡ଼ିବ। ସଚେତନ ଅଭିଭାବକ ଗୋଷ୍ଠୀର ଚିତ୍ର ପ୍ରଧାନ ଶିକ୍ଷକଙ୍କ ଉପରେ ନିର୍ଭରଶୀଳ। ସଚେତନ ଅଭିଭାବକ ଗୋଷ୍ଠୀ ଛାଆଁକୁ ଛାଆଁ ଗଢ଼ିଉଠିବେ ନାହିଁ କସ୍ମିନ୍‌କାଳେ। ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଅଭିଭାବକ ଗୋଷ୍ଠୀଙ୍କର ସମ୍ପୃକ୍ତି କରାଇବାକୁ ନିଜର ସମ୍ମତି ଦେବା ଦରକାର। ସ୍କୁଲ ହେଉଛି ଗଁାର। ସରକାରଙ୍କର ଯେତେ ନୁହଁ ତା’ଠାରୁ ଅନେକ ବେଶି ଆମର। ଏହା ଫଳରେ ଶିକ୍ଷା ଅନୁକୂଳ ତଥା ଛାତ୍ର ଅନୁକୂଳ ବାତାବରଣ ସମ୍ଭବ ହେବା ଅସମ୍ଭବ ନୁହେଁ।
ବିଷମ କଟକ, ରାୟଗଡ଼
ମୋ: ୮୨୪୯୬୫୭୭୭୮

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri