ଜନ ସହ ଗୋ ସେବାକୁ ପ୍ରାଧାନ୍ୟ

ମହାକାଳପଡ଼ା,୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ)ଜୀବନରେ ଦେଶସେବା ମନୋବୃତ୍ତି ନେଇ ପୂର୍ବତନ ସେନା କର୍ମଚାରୀ ତଥା ସରପଞ୍ଚ ଦାୟିତ୍ୱରେ ଥିଲେ ମଧ୍ୟ ସମାଜସେବା ସହ ଅସ୍ଥାୟୀ ଗୋଶାଳା କରି ଦୁଃସ୍ଥ, ଅକର୍ମଣ୍ୟ ଗୋରୁଙ୍କ ସେବା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍‌ ବସୁଙ୍କ କ୍ଷେତ୍ରରେ। ଜଣେ ଦାୟିତ୍ୱବାନ୍‌ ଓ କର୍ତ୍ତବ୍ୟନିଷ୍ଠ ଭାବେ ଦେଶସେବାରେ ନିୟୋଜିତ ହୋଇ ସେନାରେ ଯୋଗଦେଇଥିଲେ। ସେନାରୁ ଅବସର ଗ୍ରହଣ ପରେ ନିଜକୁ ସମାଜରେ ମହତ୍‌ ଉଦ୍ଦେଶ୍ୟ ନେଇ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଲୋକମାନଙ୍କ ସ୍ନେହ, ଶ୍ରଦ୍ଧା, ବ୍ୟକ୍ତିତ୍ୱ ଓ ପରୋପକାର ପାଇଁ ଜମ୍ବୁବାସୀ ତାଙ୍କୁ ସରପଞ୍ଚ ଭାବେ ବିଜୟୀ କରାଇଥିଲେ। ନିର୍ବାଚିତ ପରେ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବସୁ କରିଛନ୍ତି। ସମାଜରେ ବାଲ୍ୟବିବାହ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସରପଞ୍ଚ ବସୁଙ୍କ ଉଦ୍ୟମରେ ପଞ୍ଚାୟତରେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ଏହି ପଞ୍ଚାୟତ ବାଲ୍ୟବିବାହମୁକ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। କେବଳ ଜନସେବାରେ ଏହି ଜନପ୍ରତିନିଧିଙ୍କ ସେବା ସୀମିତ ରହିନାହିଁ। ଜମ୍ବୁ ଅଞ୍ଚଳରେ ଦୁଃସ୍ଥ ଓ ଅକର୍ମଣ୍ୟ ବୁଲା ଷଣ୍ଢ, ଗାଈ, ଗୋରୁ ବର୍ଷା ହେଉ କି ଶୀତରେ ଖୋଲା ଆକାଶ ତଳେ ଅତି ଅସହାୟ ଭାବେ ଏଣେତେଣେ ଖାଦ୍ୟ ଅଭାବରେ ଘୂରି ବୁଲନ୍ତି। ଏହି ଦୃଶ୍ୟ ଦେଖିବା ପରେ ସରପଞ୍ଚ ବସୁ ସେମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀଙ୍କୁ ନେଇ ଏକ ଅସ୍ଥାୟୀ ଗୋଶାଳା ନିର୍ମାଣ କରିଛନ୍ତି। ଏହି ଗୋଶାଳାରେ ୩୦ରୁ ଅଧିକ ଗୋରୁଙ୍କୁ ଏକତ୍ର କରି ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ଜମି କିଣି ଏକ ସ୍ଥାୟୀ ଗୋଶାଳା ନିର୍ମାଣ ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିବା ବସୁ କହିଛନ୍ତି। କାହିଁକି ନା କଥା କହିପାରୁ ନ ଥିବା ଏହି ଦୁଃସ୍ଥ ଗୋରୁମାନଙ୍କୁ ସେବା କରିବାର ସୁଯୋଗ ମିଳିଛି। ସରପଞ୍ଚ ବସୁଙ୍କ ଗୋସେବା ଉଦ୍ୟମ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଅପରପକ୍ଷରେ ସରକାରୀ ପ୍ରୋତ୍ସାହନ ମିଳିଲେ ଆଖପାଖ ଅଞ୍ଚଳର ବୁଲା ଷଣ୍ଢ, ଗୋରୁଙ୍କୁ ଉଦ୍ଧାର କରି ଆଣି ଗୋଶାଳା ଗୃହରେ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସରପଞ୍ଚଙ୍କ ସହ ଜମ୍ବୁ ଅଞ୍ଚଳର ବିଷ୍ଣୁ ଜେନା, ଟୁକୁନା ଦାସ, ଜୟଦେବ ମଣ୍ଡଳ, ସୁଶୀଲ ସୁର, ମୋତିଲାଲ୍‌ ଦାସ, ପଣ୍ଡିତ ଶ୍ରୀମନ୍ତ ପାହାଡ଼ିଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଅବଦାନ ରହିଛି।