ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ଅଧ୍ୟକ୍ଷ ହେଲେ, ବରଡୋଲ ଗ୍ରାମର ଦେବଦତ୍ତ ପ୍ରଧାନ। ତାଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ଜିଲା କାରାଗାରକୁ ତାଙ୍କୁ ପଠାଇ ଦିଆଯାଇଛି। ପୀଡ଼ିତ ଛାତ୍ର ଜଣକ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ପାଖରେ ଟିଉସନ ପଢୁଥିଲେ। ତାଙ୍କୁ କୌଶଳ କ୍ରମେ ଏକ ହୋଟେଲକୁ ନେଇ ଅଭିଯୁକ୍ତ ଅଧ୍ୟକ୍ଷ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ହୋଟେଲରୁ ପରିବାର ଲୋକଙ୍କୁ ମେସେଜ୍ କରି ଏ ବିଷୟରେ ଜଣାଇଥିଲେ। ପରେ ପୀଡ଼ିତ ଛାତ୍ରଙ୍କ ବାପାଙ୍କ ଏତଲାକ୍ରମେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଟାଉନ ଥାନା ଆଇଆଇସି ଚିତ୍ତରଞ୍ଜନ ମେହେର କହିଛନ୍ତି।