ସଂସ୍କାର ଆଣି ଲୋକଙ୍କ ଜୀବନକୁ ସହଜ କର, ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୫(ପି.ଟି.): ଜନସାଧାରଣଙ୍କ ଜୀବନକୁ ଆରାମଦାୟକ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାରମୂଳକ ପଦକ୍ଷେପ ନେବାକୁ ଗୁରୁବାର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ଆଗାମୀ ପିଢ଼ିର ସଂସ୍କାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ, ଯଦ୍ଦ୍ବାରା ୨୦୪୭ରେ ଯେତେବେଳେ ଭାରତ ନିଜର ସ୍ବାଧୀନତାର ଶହେ ବର୍ଷ ପୂରଣ କରିବ ସେତେବେଳକୁ ଦେଶ ସର୍ବାଙ୍ଗୀନ ବିକାଶ ହାସଲ କରିପାରିବ।
ଅବସରରେ ପ୍ରଧାନମନ୍ତ୍ରୀ ସେହି ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ଏକ ବ୍ୟାପକ ରୂପରେଖ ପ୍ରଦାନ କରିଛନ୍ତି, ଯାହା ମାଧ୍ୟମରେ ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ସେ ମନ୍ତ୍ରୀମାନଙ୍କୁ ପୁଣି କହିଛନ୍ତି, ସେମାନଙ୍କର ଲକ୍ଷ୍ୟ ସର୍ବଦା ଲୋକଙ୍କ ଜୀବନରେ ଆରାମ ଆଣିବା ଏବଂ ସେମାନଙ୍କ ପାଇଁ ଜୀବନଧାରଣ କିଭଳିି ସହଜସାଧ୍ୟ ହୋଇପାରିବ ସେହି ଦିଗରେ କାମ କରିବା ଦରକାର। କୌଣସି ଭାବେ ଲୋକଙ୍କ ଜୀବନରେ କୌଣସି ହସ୍ତକ୍ଷେପ ହେବା ଉଚିତ ନୁହେଁ। ଜନସାଧାରଣ ସରକାରୀ କଲ୍ୟାଣକାରୀ ଯୋଜନାରୁ ସର୍ବାଧିକ କିଭଳି ଲାଭ ପାଇପାରିବେ, ତାହା ଉପରେ ଦୃଷ୍ଟି ଦିଆଯିବା ଦରକାର। ସେ କହିଛନ୍ତି, ଏହା ହେଉଛି ଆଗକୁ ବଢ଼ିବାର ବେଳ ଓ ଅତୀତରେ କ’ଣ କରାଯାଇଛି ତାହାକୁ ରୋମନ୍ଥନ କରିବାର ସମୟ ନୁହେଁ। ସରକାର ୨୦୧୪ରୁ କ୍ଷମତାରେ ଥିବା ବେଳେ ୨୦୨୬ ମସିହାରେ ଆମର ଧ୍ୟାନ ଭବିଷ୍ୟତର ଲକ୍ଷ୍ୟ ଏବଂ ସଫଳତା ଉପରେ ରହିବା ଆବଶ୍ୟକ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ସେ ମନ୍ତ୍ରୀମାନଙ୍କୁ ଶାସନ ଏବଂ କାର୍ଯ୍ୟ ସମ୍ପାଦନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ କାର୍ଯ୍ୟରେ ଯେପରି କୌଣସି ବକେୟା ନ ରହେ ତାହା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ପରିପ୍ରେକ୍ଷୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଶେଷ ହୋଇଥିବା ବିଦେଶ ଗସ୍ତ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ପ୍ରଧାନମନ୍ତ୍ରୀ ୫ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ନେଦରଲାଣ୍ଡସ, ସୁଇଡେନ, ନରୱେ ଏବଂ ଇଟାଲୀ ଗସ୍ତ କରିଥିଲେ। ମୋଟ ୯ ଜଣ ସଚିବ ସେମାନଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ତଥା ପ୍ରଦର୍ଶନ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା କାର୍ଯ୍ୟ ଉପରେ ମଧ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। କ୍ୟାବିନେଟ ସଚିବ ଟି ଭି ସୋମନାଥନ୍‌ ସମଗ୍ର ସରକାରୀ ସଂସ୍କାର ପଦକ୍ଷେପ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ମଧ୍ୟ ରିପୋର୍ଟ ବାଢ଼ିଥିଲେ। ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା ମଧ୍ୟ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ।୍‌ ବୈଠକରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଏବଂ ରାଷ୍ଟ୍ରମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦର ଏହା ପ୍ରଥମ ବୈଠକ ଥିଲା।

 

Dharitri – Odisha’s No.1 Odia Daily