ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଉଛି। ସକାଳ ୮ଟାରୁ ଗଣନା ଆରମ୍ଭ ହୋଇଛି। ଆଜି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ତୃଣମୂଳ କଂଗ୍ରେସ (TMC) ତାର ପ୍ରତିଷ୍ଠା ବଞ୍ଚାଇ କ୍ଷମତାକୁ ଫେରିପାରିବ କି? ନା ଏଥର ରାଜ୍ୟରେ ପଦ୍ମ ଫୁଟିବାରେ ସଫଳ ହେବ? ବର୍ତ୍ତମାନ, ଦୁଇ ଦଳ ମଧ୍ୟରେ ଏକ ଘନିଷ୍ଠ ପ୍ରତିଯୋଗିତା ଦେଖାଯାଉଛି। ଭାଜପା ୨୦୫ ଆସନରେ ଆଗୁଆ ଥିବାବେଳେ ଟିଏମ୍ସି ୮୩ ଆସନରେ ଆଗୁଆ ରହିଛି।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପଶ୍ଚିମ ବଙ୍ଗରେ ‘କମଳ’ ଫୁଟିଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ମନେ ରହିବ। ଜନଶକ୍ତି ବିଜୟୀ ହୋଇଛି, ଏବଂ ଭାଜପାର’ସୁଶାସନ ରାଜନୀତି’ ସଫଳ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଉଛି। ଜନତା ଭାଜପାକୁ ଏକ ପ୍ରଚଣ୍ଡ ଜନାଦେଶ ଦେଇଛନ୍ତି, ଏବଂ ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆମ ଦଳ ପଶ୍ଚିମବଙ୍ଗର ଲୋକଙ୍କ ସ୍ବପ୍ନ ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। ଆମେ ଏପରି ଏକ ସରକାର ପ୍ରଦାନ କରିବୁ ଯାହା ସମାଜର ସମସ୍ତ ବର୍ଗ ପାଇଁ ସୁଯୋଗ ଏବଂ ସମ୍ମାନ ସୁନିଶ୍ଚିତ କରେ।”
ବଙ୍ଗଳା ନିର୍ବାଚନ ଫଳାଫଳ ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, “ବଙ୍ଗଳାରେ ଭାଜପା ପାଇଁ ଏହି ଐତିହାସିକ ବିଜୟ ଆମର ଅଗଣିତ କର୍ମୀଙ୍କ ତ୍ୟାଗ, ସଂଘର୍ଷ ଏବଂ ସମର୍ପଣର ପରିଣାମ। ଏହା ସେହି ପରିବାରଗୁଡ଼ିକର ଧୌର୍ଯ୍ୟର ବିଜୟ, ଯେଉଁମାନେ ହିଂସା ସହ୍ୟ କରିବା ସତ୍ତ୍ୱେ, ଗିରୁଆ ପତାକା ପରିତ୍ୟାଗ କରି ନଥିଲେ। ମୁଁ ସେହି ସମସ୍ତ କର୍ମୀ ଏବଂ ସେମାନଙ୍କ ପରିବାରକୁ ସାଲ୍ୟୁଟ କରୁଛି ଯେଉଁମାନେ ଆଜି ଶୂନ୍ୟରୁ ଏକ ବିଶାଳ ସଂଖ୍ୟାଗରିଷ୍ଠତା ପର୍ଯ୍ୟନ୍ତ ଭାଜପାର କଷ୍ଟକର ଯାତ୍ରା ସମୟରେ ନିଜ ଜୀବନ ବଳିଦାନ ଦେଇଛନ୍ତି, ହିଂସା ସହ୍ୟ କରିଛନ୍ତି ଏବଂ ନିର୍ଯାତନା ସହ୍ୟ କରିଛନ୍ତି। ବଙ୍ଗଳାର ଲୋକମାନେ ଏହି ବିପୁଳ ସଂଖ୍ୟାଗରିଷ୍ଠତା ସହିତ ସେହି ସମସ୍ତ ଶହିଦ ଭାଜପା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।”