ମୌନବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ:ଆମୀ

ଭୁବନେଶ୍ବର, ୧।୪(ବ୍ୟୁରୋ): କେଉଁ ସୂତ୍ରରୁ ଆଦାନୀ କମ୍ପାନୀକୁ ୨୦ ହଜାର କୋଟି ଟଙ୍କା ଆସିଛି। ଆଦାନୀ ମହା କେଳେଙ୍କାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମୌନବ୍ରତ ଅବଲମ୍ବନ କରୁଛନ୍ତି। ତାଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧୀଙ୍କ ତରଫରୁ କରାଯାଇଥିବା ପ୍ରଶ୍ନର ଉତ୍ତର ନ ରଖି ଏକତରଫା କାହିଁକି ଭାଷଣ ଦେଉଛନ୍ତି ବୋଲି କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଆମୀ ୟାଗନିକ୍‌ ପ୍ରଶ୍ନ କରିଛନ୍ତି। ସେହିପରି ବିଜେଡି ଅନ୍ୟ ସବୁ ଭାଜପା ବିରୋଧୀ ରାଜନୈତିକ ଦଳ ସହିତ ସାମିଲ ହେବ ବୋଲି ସେ କହିଛନ୍ତି। ଗସ୍ତରେ ଆସିଥିବା ଆମୀ କଂଗ୍ରେସ ଭବନଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ମୋଦି ସରକାରର ୮ ବର୍ଷ ମଧ୍ୟରେ ବିଶ୍ୱ ଧନୀ ତାଲିକାରେ ଆଦାନୀ ୬୦୯ ସ୍ଥାନରୁ ଉଠି ୩ୟ ସ୍ଥାନରେ ପହଞ୍ଚାଇବା ପଛରେ କ’ଣ ରହସ୍ୟ ରହିଛି। ପୂର୍ବ କଂଗ୍ରେସ ସରକାର ଅମଳରେ ଜାତୀୟ ସମ୍ପତ୍ତିକୁ ଆଦାନୀ ତଥା ମୁଷ୍ଟିମେୟ ପୁଞ୍ଜିପତିଙ୍କୁ କାହିଁକି ଗୋଟିଏ ପରେ ଗୋଟିଏ ଟେକି ଦିଆଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହିସବୁ ପ୍ରଶ୍ନଗୁଡ଼ିକ ପଚାରି ଉତ୍ତର ମାଗୁଥିବା ଯୋଗୁ ଭୟଭୀତ ମୋଦି ସରକାର ଆକ୍ରୋଶ ରାଜନୀତିର ଆଶ୍ରୟ ନେଇଛନ୍ତି। ଫେବୃୟାରୀ ୨୭ରୁ ମାର୍ଚ୍ଚ ୨୩ ଏକ ମାସରୁ କମ୍‌ ସମୟ ମଧ୍ୟରେ କୋର୍ଟ ରାୟ ଆସିବା ଓ ମାନହାନି ମକଦ୍ଦମାରେ ସର୍ବାଧିକ ୨ ବର୍ଷର ଦଣ୍ଡ ମିଳିିବା ପଛରେ ଯେ ଷଡ଼ଯନ୍ତ୍ର ଅଛି ତାହା ସର୍ବତ୍ର ଆଲୋଚିତ ହେଉଛି। ରାହୁଲଙ୍କୁ ପାର୍ଲାମେଣ୍ଟରେ କହିବାକୁ ନ ଦେବା, ସଂସଦରେ କହିଥିବା ବକ୍ତବ୍ୟକୁ ବିବରଣୀରୁ ବାଦ୍‌ ଦେବା ଓ ସଂସଦ ବାହାରେ ଦେଇଥିବା ଭାଷଣ ଉପରେ ସଂସଦରେ କ୍ଷମା ମାଗିବାର ଦାବି କରିବା ଭଳି କାର୍ଯ୍ୟପନ୍ଥା ସେମାନଙ୍କଠାରୁ ଦେଖିବାକୁ ମିଳୁଛି। ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି, ସେତେବେଳେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପ୍ରତିବାଦ କରିବା ଆବଶ୍ୟକ। ଗଣତନ୍ତ୍ରରେ ବିଶ୍ୱାସ ଥିବାର ଦାବି କରୁଥିବା ବିଜେଡି ଏ ସମୟରେ ଅନ୍ୟ ଭାଜପା ବିରୋଧୀ ରାଜନୈତିକ ଦଳ ସହ ସାମିଲ ହେବ ବୋଲି ସେ ଆଶା କରୁଥିବା କହିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦେଶରେ ମୋଦି ସରକାର ଗଣତନ୍ତ୍ର ନାମରେ ଏକଚ୍ଛତ୍ରବାଦ ଚଳାଇଛି।