ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ , ବିଧାୟକ କହିଲେ…

ତୁମୁଡ଼ିବନ୍ଧ,୧୫।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍‌ ତୁଟୁଲୁବାଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାଷୀ ମାଧ୍ୟରେ ରବିବାର ଜନଜାତି ଗୌରବ ଦିବସରରେ ଶୁଭ ଉଦ୍‌ଘାଟନ କରି ଲୋକାର୍ପିତ କରିଛନ୍ତି।

ସମାରୋହକୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ବି ସାଇରାମ ପାତ୍ର ପରିଚାଳନା କରିଥିଲେ। କନ୍ଧମାଳ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ବାଲିଗୁଡା ଆଇଟିଡିଏପିଏ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ସାଂସଦଙ୍କ ପ୍ରତିନିଧ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ତୁମୁଡିବନ୍ଧ ବିଧାୟକଙ୍କ ପ୍ରତିନିଧି ଧର୍ମପଦ ନାୟକ, ବିଡ଼ିଓ ବନ ବିହାରୀ ହରପାଲ, ଅତିରିକ୍ତ ତହସିଲଦାର ବ୍ଲୁଚୁମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ବିଧାୟକ ମଲ୍ଲିକ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଏହି ବିଦ୍ୟାଳୟର ଶୁଭ ଉଦ୍‌ଘାଟନ ଦ୍ୱାରା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଶିକ୍ଷାର ବିକାଶ ଦିଗରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ଆଦିବାସୀ ସମାଜର ଶିକ୍ଷା, ସାମାଜିକ ଓ ସାମଗ୍ରିକ ଉନ୍ନତି ପାଇଁ ସରକାର ଦୃଢ଼ ପ୍ରତିବଦ୍ଧ। ଶିକ୍ଷା ହିଁ ଆଦିବାସୀ ଅଞ୍ଚଳର ବିକାଶର ମୁଖ୍ୟ ମାଧ୍ୟମ। ଏଭଳି ଆବାସିକ ବିଦ୍ୟାଳୟ ଦ୍ୱାରା ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ରମାନେ ଉନ୍ନତ ଶିକ୍ଷା ଲାଭ କରିବାର ସୁଯୋଗ ପାଇପାରିବେ ବୋଲି ସେ ଅବଗତ କରିଥିଲେ।

ମୁଖ୍ୟ ବକ୍ତା ବେହେରା ଯୋଗଦେଇ ଜନଜାତି ଗୌରବ ଦିବସରେ ଏହି ଅନୁଷ୍ଠାନ ଲୋକର୍ପିତ ହୋଇଛି। ଶିକ୍ଷା ହେଉଛି ବିକାଶର ଚାବି କାଠି । ପଢ଼ିଲେ ଜାଣିବା, ଜାଣିଲେ ଜିଣିବା, ବୋଲି କହିଥିଲେ। ଏଥିଅବସରରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଭାଜପା ନେତା ନେତ୍ର ମାନସେଠ, କନ୍ଧମାଳ ଜିଲା ଭାଜପା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ତୁମୁଡିବନ୍ଧ ଭାଜପା ମଣ୍ଡଳ ସଭାପତି ସରମେଶ୍ୱର ମାଝପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ସହ ପ୍ରଶାସନିକ ଅଧିକାରୀ, ଶିକ୍ଷା ବିଭାଗ କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ୱାରା ତୁମୁଡ଼ିବନ୍ଧ ସମେତ ଆଖପାଖ ଦୁର୍ଗମ ଅଞ୍ଚଳର ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଲାଭ କରିବାରେ ସୁଯୋଗ ମିଳିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Share