ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ବଦଳି ଆବେଦନ ଆରମ୍ଭ ହୋଇଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ପୁଣି ଥରେ ସଂଶୋଧିତ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଜୁଲାଇ ୧୯ ସୁଦ୍ଧା ବଦଳି ପ୍ରକ୍ରିୟା ଶେଷ କରିବାକୁ ଓସେପା, ଜିଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଶିକ୍ଷକମାନେ ଜିଲା ଭିତରେ ଓ ବାହାରକୁ ବଦଳି ହେବାକୁ ଚାହିଁଲେ ଆବେଦନ କରିପାରିବେ।
ଉକ୍ତ କ୍ୟାଲେଣ୍ଡର ଅନୁଯାୟୀ, ମେ ୧୫ରୁ ଜୁନ ୬ ପର୍ଯ୍ୟନ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଜୁନ ୯ରୁ ୧୬ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲା ଶିକ୍ଷା ଅଧିକାରୀମାନେ ଆବେଦନ ଫର୍ମଗୁଡିକର ଯାଞ୍ଚ କରିବା ସହିତ ଅପ୍ଲୋଡ୍ କରିବେ। ଜୁନ୍ ୨୦ରୁ ୨୧ ତାରିଖ ସୁଦ୍ଧା ମେଡିକାଲ ମାମଲାଗୁଡ଼ିକୁ ମେଡିକାଲ ବୋର୍ଡକୁ ପଠାଯିବ। ୩୦ରେ ମେଡିକାଲ ରିପୋର୍ଟ ମିଳିବା ପରେ ଜୁଲାଇ ୪ରୁ ୫ ଭିତରେ ରିପୋର୍ଟଗୁଡିକୁ ଅପ୍ଲୋଡ୍ କରାଯିବ। ୭ରୁ ୯ ତାରିଖ ମଧ୍ୟରେ ନିଜ ପସନ୍ଦ ଅନୁସାରେ ବଦଳି ଆବେଦନ କରିଥିବା ଚିଠିର ଅନୁଧ୍ୟାନ କରାଯିବ। ଏହାପରେ ଜୁଲାଇ ୧୦ରୁ ୧୬ ତାରିଖ ମଧ୍ୟରେ ଏକ ବୈଠକ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କ ଡ୍ରାଫ୍ଟ ଲିଷ୍ଟ ପ୍ରସ୍ତୁତ କରାଯିବ। ପରେ ଫାଇନାଲ ମେରିଟ ଲିଷ୍ଟ ଜୁଲାଇ ୧୮ରେ ଓସେପା ଓ୍ବେବ୍ସାଇଟରେ ପ୍ରକାଶ ପାଇବ। ଜୁଲାଇ ୧୮ରୁ ୧୯ରେ ବଦଳି ପାଇଁ ଶିକ୍ଷକଙ୍କୁ ଚିଠି କରାଯିବ। ଜୁଲାଇ ୨୫ରେ ବଦଳି ସ୍ଥାନରେ ଯୋଗଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ରହିଛି। ଅନେକ ଶିକ୍ଷକ ବଦଳି ପାଇଁ ସ୍ଥାନୀୟ ବିଧାୟକଙ୍କ ସୁପାରିସ ଚାହଁୁଥିଲେ ଓ ତାହା ମିଳିବାରେ ବିଳମ୍ବ ହେଉଥିଲା, ତେଣୁ ବଦଳି ସମୟସୀମାକୁ ବୃଦ୍ଧି କରାଯାଇଛି। ଯଦ୍ଦ୍ବାରା ବଦଳି ଆବେଦନରୁ ବଞ୍ଚତ୍ତ ହୋଇଥିବା ଶିକ୍ଷକମାନେ ପୁଣି ଆବେଦନ କରିପାରିବେ।


