ପ୍ରାଥମିକ ଶିକ୍ଷା ଓ ବିଦ୍ୟାଳୟ ପରିଚାଳନା କମିଟି

ଗୋଟିଏ ସମୟରେ ପିଲାମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଗୋଟିଏ ଗାଁର ଗ୍ରାମବାସୀ ବା ଦୁଇଚାରି ଖଣ୍ଡ ଗାଁର ଲୋକ ମିଶି ଗ୍ରାମପୁର କେନ୍ଦ୍ରସ୍ଥଳରେ ବିଦ୍ୟାଳୟଟେ ସ୍ଥାପନ କରୁଥିଲେ। ଗୃହ ନିର୍ମାଣ ସକାଶେ କିଏ ଜାଗା ଯୋଗାଇ ଦେଉଥିଲା ତ କିଏ ଶ୍ରମଦାନ କରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରୁଥିଲେ। ଶିକ୍ଷକମାନେ ଥିଲେ ଗାଁର ଆଦର୍ଶ। ଗାଁର ପ୍ରତ୍ୟେକ କଥାରେ ଶିକ୍ଷକଙ୍କ ଭାଗୀଦାରିତା ରହୁଥିଲା। ଯେଉଁ ଗାଁରେ ବିଦ୍ୟାଳୟଟେ ଥିବ, ସେ ଗାଁ ଅନ୍ୟ ଗାଁର ନଜରରେ ଉଚ୍ଚରେ। କାଁ ଭାଁ ସେତେବେଳେ କିଛି ବିଦ୍ୟାଳୟ ସ୍ଥାପିତ ହୋଇଥିବାବେଳେ ପିଲାମାନଙ୍କୁ ଅନେକ କିଲୋମିଟର ବାଟ ଚାଲିକି ଯିବାକୁ ହେଉଥିଲା ବିଦ୍ୟାଳୟରେ ପହଞ୍ଚିବାକୁ। ଠିକ୍‌ ସେହିପରି ମାଟ୍ରିକ୍‌ ସମ୍ପୂର୍ଣ୍ଣ କରିବା ଏକ ବହୁତ ବଡ଼ କଥା ଥିଲା। ସେତେବେଳେ ବିଦ୍ୟାଳୟର ପରିଚାଳନା ସକାଶେ ଗାଁର କିଛି ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହେଉଥିଲା। ପିଲାମାନେ କିପରି ଭଲ ପଢ଼ିବେ ତାହା ଥିଲା କମିଟିର ପ୍ରାଥମିକତା। ସେଥିସକାଶେ ପାଣ୍ଠି ସଂଗ୍ରହ, ଶିକ୍ଷକ ଖୋଜିବାଠାରୁ ଆରମ୍ଭ କରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସକାଶେ ଯାହା ଯାହା ଆବଶ୍ୟକ ସବୁ କରୁଥିଲେ।
ସାଂପ୍ରତିକ ସମୟରେ ବିଭିନ୍ନ ପ୍ରକାରର ବିଦ୍ୟାଳୟ ସ୍ଥାପନ ହେବା ଫଳରେ ସମ୍ଭ୍ରାନ୍ତ ବଂଶର ସନ୍ତାନ ସନ୍ତତି ପ୍ରାୟତଃ ଆଉ ଗାଁ ସ୍କୁଲରେ ପଢୁ ନାହାନ୍ତି। ବାପାମାଆଙ୍କ ଧାରଣା ଇଂଲିଶ ମାଧ୍ୟମ ସ୍କୁଲରେ ପଢ଼ିଲେ ପୁଅଝିଅ ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ତେଣୁ ସେମାନେ ପିଲାମାନଙ୍କର ଉତ୍ତମଶିକ୍ଷାକୁ ସୁନିଶ୍ଚିତ କରିବା ନାଁରେ ଗାଁ ଛାଡ଼ି ସହରରେ ଯାଇ ରହୁଛନ୍ତି।ତେଣୁ ଗାଁ ସ୍କୁଲରେ ସମ୍ଭ୍ରାନ୍ତ ପରିବାରର ପୁଅଝିଅ ନ ପଢ଼ିବା କାରଣରୁ ମାତାପିତା (ଯିଏ ସଚେତନ ନାଗରିକ), ଶିକ୍ଷକ ବିଦ୍ୟାଳୟ ଆସିବାରେ ବିଳମ୍ବକଲେ ବା ଉପଯୁକ୍ତ ଭାବରେ ଶିକ୍ଷାଦାନ ନ କଲେ ପ୍ରଶ୍ନ ପଚାରୁଥିଲେ, ତାଙ୍କର ଭାଗୀଦାରିତା ରହିଲା ନାହିଁ। ଫଳତଃ ଗାଁରେ ଥିବା ବିଦ୍ୟାଳୟ ସବୁରେ ଶିକ୍ଷାଦାନର ମାନ ସ୍ବତଃ ହ୍ରାସ ପାଇଲା। ଆଜି ବିଦ୍ୟାଳୟରେ ଯେଉଁ ବିଦ୍ୟାଳୟ ପରିଚାଳନା କମିଟି ରହିଛି ତାହା ଅନେକ ସ୍ଥଳେ କାଗଜ କଲମରେ ସୀମିତ। କମିଟିରେ ଥିବା ସଭାପତିଙ୍କୁ ଛାଡ଼ିଦେଲେ ଆଉ କେହି ସକ୍ରିୟ ସଦସ୍ୟ ନ ଥିବେ। ସଭାପତିଙ୍କ ଧ୍ୟାନ ପୁଣି ଶିକ୍ଷାର ମାନରେ ଉନ୍ନତି ଆଣିବା ପରିବର୍ତ୍ତେ ନିର୍ମାଣ କାର୍ଯ୍ୟ ଭଳି ଯେଉଁ କାମରେ ତାଙ୍କୁ ଦୁଇ ପଇସା ମିଳିବ ସେଥିପାଇଁ ସେ ବେଶ୍‌ ଚିନ୍ତିତ। ଏପଟେ ପ୍ରଧାନଶିକ୍ଷକ ବି ନିଜର ଦୋଷ ଦୁର୍ବଳତା ଘୋଡ଼ାଇବା ପାଇଁ ସଭାପତିଙ୍କ ପାଟି ବନ୍ଦ କରାଇବା ସକାଶେ ଚିନ୍ତିତ। ନିର୍ଦ୍ଧାରିତ ତାରିଖରେ କମିଟିର ବୈଠକ ପ୍ରାୟତଃ ହେଉ ନ ଥିବା ଦୃଷ୍ଟି ଗୋଚର ହୁଏ। କୋରମ ଅଭାବରୁ ଅନେକ ସ୍ଥଳେ ଘର ଘର ବୁଲି କମିଟିର ସଦସ୍ୟଙ୍କ ଦସ୍ତଖତ ସଂଗ୍ରହ କରିବା ଦେଖିବାକୁ ମିଳେ। ଏହା ଭିତରେ ସରକାର ବିଗତ କିଛିଦିନ ହେଲା ବୈଠକ ସକାଶେ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରୁଛନ୍ତି ଏବଂ ଏହି ତାରିଖ କମିଟି ସଦସ୍ୟଙ୍କୁ ସବୁବେଳେ ସୁହାଉ ନାହିଁ, କାରଣ ବାହାଘର ଋତୁରେ ବାହାଘର, ଚାଷ ଋତୁରେ ଚାଷକୁ କମିଟି ସଦସ୍ୟ ପ୍ରାଥମିକତା ଦେବା ଫଳରେ ଉପସ୍ଥାନ ସନ୍ତୋଷଜନକ ରହିନାହିଁ। ଶିକ୍ଷା ପ୍ରତି ଅନେକ ମାତ୍ରାରେ ସଚେତନ ନ ଥିବା କାରଣରୁ ବୈଠକରେ ଯୋଗଦେବା ନିମନ୍ତେ ଛାତ୍ରୀଛାତ୍ରଙ୍କ ଅନୁରୋଧକୁ ମଧ୍ୟ ଅଭିଭାବକ ଗୁରୁତ୍ୱ ଦେଇ ନ ଥାନ୍ତି। ବୈଠକ ସୁଚାରୁ ରୂପେ ସମ୍ପନ୍ନ ନ ହୋଇପାରିବା କାରଣରୁ ଅଧାରୁ ପାଠଛଡ଼ା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଭଳି ସମସ୍ୟା ସବୁକୁ ହ୍ରାସ କରିବାରେ କମିଟି ସଫଳ ହୋଇପାରୁ ନାହିଁ।
ବିଦ୍ୟାଳୟ ବାହାରେ କୌଣସି ଶିଶୁ ରହିବେ ନାହିଁ ଏବଂ ଶିକ୍ଷାର ମାନରେ ଉନ୍ନତି ଆଣିବା ନିମିତ୍ତ କେନ୍ଦ୍ର ସରକାର ୨୦୦୯ରେ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ପ୍ରଣୟନ କଲେ, ଯାହା ୨୦୧୦ରେ ଓଡ଼ିଶାରେ କାର୍ଯ୍ୟକାରୀ ହେଲା। ଉକ୍ତ ଆଇନ ଅନୁସାରେ ବିଦ୍ୟାଳୟ ପରିଚାଳନା କମିଟିର ତିନି ଚତୁର୍ଥାଂଶ ସଭ୍ୟାସଭ୍ୟ ମାତାପିତାଙ୍କ ମଧ୍ୟରୁ ରହିବାର ବ୍ୟବସ୍ଥା ଥିବାବେଳେ ତାଙ୍କ ମଧ୍ୟରୁ ଜଣେ ସଭାପତି ମନୋନୀତ ହେବେ। ଏହାବାଦ୍‌ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କମିଟିର ସଂପାଦକ ଭିନ୍ନ ଜଣେ ପଞ୍ଚାୟତ ପ୍ରତିନିଧି(ଓ୍ବାର୍ଡ ମେମ୍ବର),ଜଣେ ସ୍ବେଚ୍ଛାସେବୀଙ୍କୁ ଏହି କମିଟିର ସଭ୍ୟରୂପେ ମନୋନୀତ କରାଯିବାର ବ୍ୟବସ୍ଥା ରହିଲା। କମିଟିର ବୈଠକ ପ୍ରତିମାସ ଆୟୋଜନ ହେବାର ପ୍ରାବଧାନତା ମଧ୍ୟ ଏଥିରେ ରହିଛି। କିନ୍ତୁ ଅସଲରେ ବୈଠକ ଅନେକ ସ୍ଥାନରେ ନ ହେଉଥିବା କାରଣକୁ ବୋଧହୁଏ ହୃଦ୍‌ବୋଧ କରି ଓଡ଼ିଶା ସରକାର ତପତ୍ରତା ପୂର୍ବକ ପ୍ରତି ତିନି ମାସରେ ଥରେ ଏହି ବୈଠକର ଆୟୋଜନ କରିବାକୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ ତରଫରୁ ମଧ୍ୟ ଅତିରିକ୍ତ ଯତ୍ନର ସହିତ ଏହି ବୈଠକ ଆୟୋଜନ କରାଯାଉଛି। କିନ୍ତୁ କମିଟିର ସଦସ୍ୟଙ୍କ ଉପସ୍ଥାନ ଯେଉଁଭଳି ରହିବା କଥା ତାହା ରହୁନାହିଁ। ଏଠି ସରକାର ବୈଠକକୁ ସୁନିଶ୍ଚିତ କରିବା ସକାଶେ ପ୍ରଧାନ ଶିକ୍ଷକଙ୍କ ଉପରେ ଉତ୍ତର ଦାୟିତ୍ୱ ଲଦି ଦେଲେ ଫଳତଃ ଯେମିତି ସେମିତି ହେଉ ବୈଠକ ହେଲା କିନ୍ତୁ ଆଇନର ପ୍ରାବଧାନତା ଅନୁଯାୟୀ ଯେଉଁ ପ୍ରତିମାସ ବୈଠକ ହେବା କଥା ତାହା ହେଲା ନାହିଁ।
ସେ ଯାହା ହେଉ, ବିଦ୍ୟାଳୟ ଶିକ୍ଷାରେ ଉନ୍ନତି ଆଣିବା ସକାଶେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱ ଅପରିହାର୍ଯ୍ୟ। ତେଣୁ ସରକାର ଆନ୍ତରିକତାର ସହିତ ଏଥିରେ ସୁଧାର ନିମିତ୍ତ ଗାଁର ସମସ୍ତ ବର୍ଗର ଜନସାଧାରଣଙ୍କୁ ସାମିଲ କରିବାର ପ୍ରୟାସ ପୂର୍ବକ ଆଗଭଳି ଗାଁର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ କମିଟି ଗଠନ କରନ୍ତୁ। କମିଟି ଭିନ୍ନ ଶିକ୍ଷକ-ଅଭିଭାବକ ବୈଠକ ନିୟମିତ ଭାବରେ (ଅନ୍ତତଃ ପ୍ରତି ତିନି ମାସରେ ଥରେ)ଆୟୋଜନ କରିବା ଆବଶ୍ୟକ; ଯଦ୍ଦ୍ବାରା ମାତାପିତା, ଅଭିଭାବକ ଛାତ୍ରୀଛାତ୍ରଙ୍କ ସୁବିଧା ଅସୁବିଧା ସମ୍ବନ୍ଧରେ ଅବଗତ ହୋଇ ଶିକ୍ଷକଙ୍କ ସହିତ ଉପଯୁକ୍ତ ସମାଧାନ ନିମନ୍ତେ ଖୋଲାଖୋଲି ଭାବରେ ଆଲୋଚନା କରି ପାରିବେ। ବିଦ୍ୟାଳୟ ପରିଚାଳନା ବୈଠକ ତଥା ଶିକ୍ଷକ-ଅଭିଭାବକ ବୈଠକ ଦିନ ଛାତ୍ରୀଛାତ୍ର ବିଦ୍ୟାଳୟର ଫାଟକ ଆଗରେ ଛିଡ଼ା ହୋଇ ଅତିଥିମାନଙ୍କୁ ସ୍ବାଗତ କଲେ ଅତିଥିମାନେ ଏହିସବୁ ବୈଠକର ଆବଶ୍ୟକତା ଏବଂ ବିଦ୍ୟାଳୟ ତରଫରୁ ତାଙ୍କୁ ଦିଆ ଯାଉଥିବା ସମ୍ମାନକୁ ଅନୁଭବ କରିବେ ଏବଂ ପରବର୍ତ୍ତୀ ବୈଠକମାନଙ୍କରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରନ୍ତେ। ବିଦ୍ୟାଳୟର ବଗିଚା ତଥା କୋଠାକୁ ଆକର୍ଷଣୀୟ କରିବା ସହିତ ଶିକ୍ଷଣୀୟ କରିପାରିଲେ ଛାତ୍ରୀଛାତ୍ର, ଶିକ୍ଷକ ତଥା ଅଭିଭାବକ ସମସ୍ତଙ୍କ ପାଇଁ ‘ଆମ ବିଦ୍ୟାଳୟ’ର ମନୋଭାବ ଜାଗରିତ କରିପାରନ୍ତା, ଯାହା ବିଦ୍ୟାଳୟର ଉନ୍ନତିରେ ବେଶ୍‌ ସହାୟକ। ସର୍ବୋପରି ଗାଁର ବିଦ୍ୟାଳୟକୁ ସରକାରୀ ବିଦ୍ୟାଳୟ କହି ସରକାର ଅନେକ କଥାରେ ଗ୍ରାମବାସୀଙ୍କୁ ବାରଣ ନ କରି ବରଂ ତାଙ୍କର ଭାଗୀଦାରିତାକୁ ଉତ୍ସାହିତ କଲେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହୋଇ ପାରନ୍ତା, ଏଥିରେ ଦ୍ୱିମତ ହେବାର ନାହିଁ।

ରାଜୀବ କୁମାର ନାୟକ
ମୋ:୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri