କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି। ତେବେ ଏହାକୁ ରୋକିବାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଆସିଥିବା ପୁରୋହିତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଛି।
ଖବରରୁ ଜଣାପଡିଛି, ଗୁମ୍ମା ବ୍ଲକର ପରିଡା ଗ୍ରାମରେ ଏକ ବିବାହ କାର୍ଯ୍ୟ ଆୟୋଜନ ହୋଇଥିଲା। ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ ଆସିଥିବା ପୁରୋହିତ ଝିଅର ବିବାହ ବୟସ ହୋଇ ନ ଥିବା ଜାଣିବା ପରେ ବିବାହ ମଣ୍ଡପରୁ ଉଠି ଚାଲିଯାଇଥିଲେ। ପରେ ଏନେଇ ସୂଚନା ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଏକ ଟିମ୍‌ ଗଠନ କରି ସମ୍ପୃକ୍ତ ଗ୍ରାମରେ ପହଞ୍ଚତ୍ ଝିଅର ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ବାଲ୍ୟବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ସମ୍ପର୍କରେ ବୁଝାଇବା ସହ ଝିଅର ବୟସ ୧୮ ଓ ପୁଅର ବୟସ ୨୧ ବର୍ଷ ବିବାହ ପାଇଁ ଉପଯୁକ୍ତ ବୋଲି ଅବଗତ କରାଇଥିଲେ।

ଝିଅର ବୟସ ୧୭ ବର୍ଷ ୯ ମାସ ହୋଇଥିବାରୁ ତାକୁ ବିବାହ ସ୍ଥାନରୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟରେ ହାଜର କରାଯାଇଥିଲା । ପରିବାର ସଦସ୍ୟ ଏ ବିଷୟରେ ବୁଝିବା ପରେ ଝିଅର ବୟସ ୧୮ ବର୍ଷ ନ ହେବାଯାଏ ବିବାହ ଦେବେ ନାହି ବୋଲି ଲିଖିତ ଭାବରେ ଜଣାଇଥିଲେ। ପରେ ନାବାଳିକାଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା।

 

Dharitri – Odisha’s No.1 Odia Daily

Share