ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ୱର,୧୮ା୪(ବନ୍ଦନା ସେଠୀ):ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍‌କା (ଆଇଏନ୍‌ସିଏ) ଆୱାଡର୍‌ସ ଉତ୍ସବରେ ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ୨୦୨୫ରେ ମୁକ୍ତିଲାଭ କରିଥିବା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ‘ବୋଉ ବୁଟୁ ଭୂତ’କୁ ଶ୍ରେଷ୍ଠ ପୁରସ୍କାର ପାଇଁ ବିଚାରକମାନେ ଚୟନ କରିଥିଲେ। ଏଥିସହ ଶ୍ରେଷ୍ଠ ଅଭିନେତା ଭାବେ ଏହି ଚଳଚ୍ଚିତ୍ରର ନାୟକ ବାବୁସାନ ମହାନ୍ତି ଓ ଶ୍ରେଷ୍ଠ ଅଭିନେତ୍ରୀ ନାୟିକା ଅର୍ଚ୍ଚିତା ସାହୁ ମଧ୍ୟ ସମ୍ମାନିତ ହୋଇଛନ୍ତି। ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଇନ୍‌କା ଉତ୍ସବରେ ବଲିଉଡ୍‌ ଏବଂ ଟଲିଉଡ୍‌ର ତାରକାଙ୍କ ମେଳରେ ‘ବୋଉ ବୁଟୁ ଭୂତ’କୁ ଏହି ଜାତୀୟ ପୁରସ୍କାର ମିଳିଥିବାରୁ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ପାଇଁ ଆଉଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଫିଲ୍ମର ପ୍ରଯୋଜିକା ତଥା ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏହି ସମ୍ମାନ ଗ୍ରହଣ କରିବା ସମୟରେ ମଞ୍ଚରେ ବେଶ୍‌ ଭାବବିହ୍ବଳ ହୋଇପଡିଥିଲେ।

ତୃପ୍ତି କହିଥିଲେ, ଏହା ମୋର ପ୍ରଥମ ଫିଲ୍ମ। ଜଣେ ଗଣିତ ଶିକ୍ଷକ ଆଜି ପ୍ରଯୋଜକ ଭାବେ ପ୍ରଥମଥର ଷ୍ଟେଜ୍‌ରେ ଛିଡା ହୋଇ ପୁରସ୍କାର ଗ୍ରହଣ କରୁଛନ୍ତି। ସ୍ବାମୀଙ୍କ ପାଇଁ ପ୍ରଯୋଜକ ଭାବେ କାମ କରିବା ଆରମ୍ଭ କରିଛି। ଓଡିଶାବାସୀଙ୍କ ଭଲ ପାଇବା ଆଉ ସିନେମା ପ୍ରତି ଥିବା ସେମାନଙ୍କର ବିଶ୍ୱାସ ପାଇଁ ଏହି ସମ୍ମାନ ମିଳିଛି ବୋଲି ତୃପ୍ତି କହିଛନ୍ତି। ଏହି ସମୟରେ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କ ପାଖରେ ପହଞ୍ଚତ୍ ତୃପ୍ତିଙ୍କୁ ସାଧୁବାଦ ଦେବା ସହ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ସେହିପରି ଚଳଚ୍ଚିତ୍ର ‘ଅନନ୍ତା’ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର ଓ ତାଙ୍କ ପୁଅ ନିର୍ଦ୍ଦେଶକ କୁମାର ସି ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ଓଡ଼ିଆ ସିନେ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା।

 

Dharitri – Odisha’s No.1 Odia Daily

 

Share