ଦରଦାମ୍‌ ବୃଦ୍ଧିର ଦୋହରା ମାଡ଼, ପୁଣି ମହଙ୍ଗା ହେଲା ସିଏନ୍‌ଜି-ପିଏନ୍‌ଜି…

ନୂଆଦିଲ୍ଲୀ, ୧୪।୪ : ଦେଶରେ ଇନ୍ଧନ ଲଗାତାର ମହଙ୍ଗା ହେବାରେ ଲାଗିଛି। ଗୁରୁବାର ସିଏନ୍‌ଜି-ପିଏନ୍‌ଜର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ଅଢ଼େଇ ଟଙ୍କା ଏବଂ ପିଏନଜି ମୂଲ୍ୟରେ ୪.୨୫ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି।

ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍‌ଜିର ମୂଲ୍ୟ କିଲୋଗ୍ରାମ ପିଛା ୭୧.୬୧ ଟଙ୍କାରେ ପହଞ୍ଚିଥିବାବେଳେ ପିଏନଜିର ନୂଆ ଦାମ୍‌ ପ୍ରତି ଏସସିଏମ୍‌ ପିଛା ୪୫.୮୬ ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ମାସରେ ସିଏନଜି ମୂଲ୍ୟରେ ଏହା ହେଉଛି ଚତୁର୍ଥ ବୃଦ୍ଧି। ଚାରୋଟି କିସ୍ତିରେ ଏହାର ଦାମ୍‌ ୧୩ ଦିନ ମଧ୍ୟରେ ୧୦.୮୦ ଟଙ୍କା ବୃଦ୍ଧି ପାଇଛି।

ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (ଆଇଜିଏଲ) ଚଳିତ ମାସରେ ତୃତୀୟ ଥର ପାଇଁ ସିଏନ୍‌ଜିର ମୂଲ୍ୟ ବୃଦ୍ଧି କରିଛି। ଏହାପୂର୍ବରୁ, ଏପ୍ରିଲ ୧ ଏବଂ ଏପ୍ରିଲ ୭ ରେ ସିଏନ୍‌ଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ସିଏନ୍‌ଜିର ମୂଲ୍ୟ କିଲୋଗ୍ରାମ ପିଛା ୭୪.୧୭ ଟଙ୍କାରେ ପହଞ୍ଚିଥିବାବେଳେ ଗୁରୁଗ୍ରାମର ଲୋକଙ୍କୁ ଏକ କିଲୋଗ୍ରାମ ସିଏନ୍‌ଜି ପାଇଁ ୭୯.୯୪ ଟଙ୍କା ଦେବାକୁ ପଡୁଛି।
ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୩.୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହାର ମୂଲ୍ୟ ମୁଜାଫରନଗର, ମେରଟ ଏବଂ ଶାମଲିରେ ୭୮.୮୪ ଟଙ୍କା, ରେୱାରୀରେ ୮୨.୦୭ ଟଙ୍କା, କର୍ନଲ ଏବଂ କୈଥଲରେ ୮୦.୨୭ ଟଙ୍କା, କାନପୁର, ହମିରପୁର ଏବଂ ଫତେହପୁରରେ ୮୩.୪୦ ଟଙ୍କା ଏବଂ ଅଜମେର, ପାଲି ଏବଂ ରାଜସାମଣ୍ଡରେ ୮୧.୮୮ ଟଙ୍କା ରହିଛି।

ସିଏନ୍‌ଜି ବ୍ୟତୀତ, ପାଇପ ମାଧ୍ୟମରେ ଘରେ ପହଞ୍ଚୁଥିବା ପିଏନ୍‌ଜି ଦାମ୍‌ ଏସ୍‌ସିଏମ୍‌ ପିଛା ୪.୨୫ ଟଙ୍କା ବୃଦ୍ଧି ପାଇଛି। ଘରୋଇ ପିଏନ୍‌ଜି ମୂଲ୍ୟରେ ବୃଦ୍ଧି ଇନପୁଟ ଗ୍ୟାସ ମୂଲ୍ୟର ଆଂଶିକ କଭର୍‌ କରିବାକୁ କରାଯାଇଛି। ବୃଦ୍ଧି ପରେ, ବର୍ତ୍ତମାନ ଦିଲ୍ଲୀରେ ପିଏନ୍‌ଜିର ନୂଆ ଦାମ୍‌ ଏସ୍‌ସିଏମ୍‌ ପିଛା ୪୫.୮୬ ଟଙ୍କାକୁ ବୃଦ୍ଧି ପାଇଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ ଏସ୍‌ସିଏମ୍‌ ପିଛା ୪୫.୯୬ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି କର୍ନଲ ଏବଂ ରେୱାରିରେ ଏହାର ମୂଲ୍ୟ ୪୪.୬୭ ଟଙ୍କା ଥିବାବେଳେ ଗୁରୁଗ୍ରାମରେ ୪୪.୦୬ ଟଙ୍କା ରହିଛି।

Share