ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ। ଏଥିପାଇଁ ମୟୂରଭଞ୍ଜର ଦାଣ୍ଡବୋଷ ଗାଁ ଚଳଚଞ୍ଚଳ ହୋଇଉଠିଛି। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାଣ୍ଡବୋଷ ଗାଁକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

୧୯୦୫ ମସିହା ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ୧୧୮ ବର୍ଷ ତଳେ ଏହି ଗାଁରେ ଜନ୍ମ ନେଇଥିଲେ ରଘୁନାଥ। ପିତା ନନ୍ଦଲାଲ ମୁର୍ମୁ ଗାଁ ମୁଖିଆ ଥିବା ବେଳେ ମା’ ସଲମା ଗୃହିଣୀ ଥିଲେ। ପିଲାଟି ଦିନରୁ ସାନ୍ତାଳି ଭାଷାକୁ ନିଜ ମାତୃଭାଷା ବୋଲି ଗର୍ବ ଅନୁଭବ କରୁଥିଲେ ରଘୁନାଥ। ସେ ଶିକ୍ଷକତା ବୃତ୍ତି ସହ ନିଜ ଭାଷା ପାଇଁ ଲିପି ପ୍ରସ୍ତୁତି କରିବାରେ ଲାଗିଥିଲେ। ଶେଷରେ ତାଙ୍କର ଏହି ପ୍ରୟାସ ୧୯୨୫ରେ ସଫଳ ହୋଇଥିଲା। ୧୯୩୯ରେ ଏହି ଲିପି ମାଧ୍ୟମରେ ସେ ପ୍ରଥମ ପ୍ରକାଶନ କରିଥିଲେ। ଏହି ଲିପି ଉଦ୍‌ଭାବନ ଯୋଗୁ ସାରା ଦେଶରେ ସାନ୍ତାଳି ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ମିଳିଥିଲା। ୨୦୦୩ ଡିସେମ୍ବର ୨୨ରେ ତତକାଳିନୀ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ସାନ୍ତାଳି ଭାଷା ଓ ଅଲଚିକି ଲିପିକୁ ସାମ୍ବିଧାନିକ ସ୍ବୀକୃତି ଦେଇଥିଲେ।