ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସକାଳେ ଗଁାରେ ପହଞ୍ଚତ୍ବା ପରେ ମହିଳାମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଆଦିବାସୀ ପରମ୍ପରା ଅନୁଯାୟୀ ମହିଳାମାନେ ରାଷ୍ଟ୍ରପତିଙ୍କ ଗୋଡ଼ ଧୋଇଦେବା ସହ ପ୍ରଣାମ କରିଥିଲେ। ମୁର୍ମୁ ଛକରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଷ୍ଟ୍ରପତି ପ୍ରୋଟୋକଲରୁ ବାହାରକୁ ଯାଇ ଗ୍ରାମବାସୀଙ୍କୁ ଭେଟିଥିଲେ। ସେଠାରୁ ଗଁା ଦାଣ୍ଡରେ ଚାଲି ଚାଲି ଯାଇ ପୂଜାସ୍ଥଳ ଗୋଷାଣୀ ଓ ଜାହିରାରେ ପୂଜାର୍ଚ୍ଚନା କରିଥିଲେ। ପରେ ସ୍କିଲ୍ ହବ୍ ସେଣ୍ଟରରେ ମହିଳାଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଲ୍ଏସ୍ ସ୍କୁଲକୁ ଯାଇ ସ୍ମାର୍ଟ କ୍ଲାସ୍ରୁମ୍ରେ ଛାତ୍ରୀଛାତ୍ରଙ୍କ ସହ ଭାବବିନିମୟ କରିଥିଲେ। ପାଠ ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପାଦନ କରି ଆତ୍ମନିର୍ଭର ହେବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚାକିରି ମିଳିବା ସହଜ ନୁହେଁ, ତେଣୁ ଚାକିରି ଅନ୍ବେଷଣ ନ କରି ଚାକିରି ଦେବାପାଇଁ ନିଜ ଭିତରେ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। ଯୁବବର୍ଗ ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ ସମ୍ଭବ ବୋଲି ରାଷ୍ଟ୍ରପତି କହିଥିଲେ। ସ୍ଥାନୀୟ ଯୁବକମାନଙ୍କ ସହ ଆଲୋଚନା କରି ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ଦେବଦର୍ଶନ କରିବା ପରେ ପୂଜାର୍ଚ୍ଚନା କରି ୭ଜଣ ବ୍ରାହ୍ମଣଙ୍କୁ ଅନ୍ନବସ୍ତ୍ର ଦାନ କରିଥିଲେ। ମହାପ୍ରଭୁଙ୍କ ପ୍ରସାଦ ସେବନ କରି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଅପରାହ୍ନ ୪ଟାରେ ଦାଣ୍ଡବୋଷ ହେଲିପ୍ୟାଡ୍ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାତ୍ରା କରିଥିଲେ। ଯଶୀପୁରର ଅନୁକୂଳପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ସଡ଼କପଥରେ ଶିମିଳିପାଳ ଯାଇଥିଲେ। ଗୁଡୁଗୁଡ଼ିଆସ୍ଥିତ ଫରେଷ୍ଟ ଡାକବଙ୍ଗଳାରେ ରାତ୍ରିଯାପନ କରିଥିଲେ। ଶୁକ୍ରବାର ପ୍ରଥମ କରି ଶିମିଳିପାଳ ଅଭୟାରଣ୍ୟର ଗୁଡୁଗୁଡ଼ିଆଠାରେ ନିର୍ମାଣ ହୋଇଥିବା ବିଏସ୍ଏନ୍ଏଲ୍ର ମୋବାଇଲ ଟାୱାରକୁ ରାଷ୍ଟ୍ରପତି ଉଦ୍ଘାଟନ କରିବା ସହ ଆଦିବାସୀ ସମ୍ପ୍ରଦାୟ ସହ ଭାବବିନିମୟ କରିବା କାର୍ଯ୍ୟକ୍ରମ ରହିଛି।
Dharitri – Odisha’s No.1 Odia Daily

