ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଜାତୀୟ ପର୍ବର ଶୁଭେଚ୍ଛା ଜଣାଇବା ସହ ଆମର ଜାତୀୟ ପତାକା ତ୍ରିରଙ୍ଗା ଆମର ସ୍ୱାଧୀନତାର ପ୍ରତୀକ ଏବଂ ଏହାକୁ ଆମେ ସମସ୍ତେ ଗର୍ବ ଓ ଗୌରବର ସହ ଉତ୍ତୋଳନ କରିଥାଉ ବୋଲି କହିଛନ୍ତି।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତମାତା ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲେ ଏବଂ ସମସ୍ତ ଦେଶବାସୀ ସ୍ୱାଧୀନ ଭାରତର ଭାଗ୍ୟନିର୍ମାତା ହୋଇଥିଲେ ବୋଲି ରାଷ୍ଟ୍ରପତି ସ୍ମରଣ କରାଇଛନ୍ତି। ଆମେ ସମସ୍ତେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ମିଳିଥିବା ସୁଯୋଗର ଉପଯୋଗ କରିବା ଏବଂ ଭାରତକୁ ଏକ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

ରାଷ୍ଟ୍ର ଗଠନରେ ଦେଶର ବିଭିନ୍ନ ବର୍ଗର ଅବଦାନକୁ ପ୍ରଶଂସା କରି ସେ କହିଛନ୍ତି ଯେ ନିଷ୍ଠାବାନ୍ ଛାତ୍ରଛାତ୍ରୀ ଓ ଶିକ୍ଷକ, ବୈଜ୍ଞାନିକ, ଯନ୍ତ୍ରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିଶ୍ରମୀ ଶ୍ରମିକ ଏବଂ ଅନ୍ନଦାତା କୃଷକମାନେ ନିଜର ପ୍ରଚେଷ୍ଟା ଦ୍ୱାରା ଦେଶ ଗଠନ କରି ଚାଲିଛନ୍ତି। ଏହାସହ ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟ ପାଳନ କରୁଥିବା ସମସ୍ତ ନାଗରିକ ଜାତୀୟ ବିକାଶର ମହତ୍ତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ନିଜର ସମୃଦ୍ଧ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ଆପଣାଇ ଆମେ ଆଧୁନିକ ବିକାଶର ମାର୍ଗରେ ଆଗେଇ ଚାଲିଛୁ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ଏବଂ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସମାଜ ସଂସ୍କାର ଓ ରାଷ୍ଟ୍ରନିଷ୍ଠାର ଆଦର୍ଶକୁ ସେ ସ୍ମରଣ କରିଛନ୍ତି। ଏହାସହ ସ୍ୱାଧୀନତା ପରେ ୫୫୦ରୁ ଅଧିକ ରାଜ୍ୟକୁ ଏକାଠି କରିବାରେ ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି।

ଦେଶର ଆର୍ଥିକ ଓ ସାମାଜିକ ପ୍ରଗତି ସମ୍ପର୍କରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଯେ, ବିଗତ କିଛି ବର୍ଷ ଭେତରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମା ଉପରକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଜରିଆରେ ପ୍ରାୟ ୫୯ କୋଟି ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ି ହୋଇଥିବାବେଳେ ସେଥିରେ ୩୨ କୋଟିରୁ ଅଧିକ ମହିଳା ରହିଛନ୍ତି। ସେହିପରି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଏବଂ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୬୦ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

ଦେଶରେ ମହାତ୍ମା ଜ୍ୟୋତିବା ପୁଲେ ଏବଂ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ପୁଲେଙ୍କ ୨୦୦ତମ ଜୟନ୍ତୀ ପାଳନ କରାଯାଉଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ ସାମାଜିକ ନ୍ୟାୟ, ଶିକ୍ଷା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ସେମାନଙ୍କ ଅବଦାନ ଅତୁଳନୀୟ।

ଭାରତ ଆଜି ବିଶ୍ୱର ସବୁଠାରୁ ଭଲ ଏବଂ ବୃହତ୍ ଡିଜିଟାଲ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ବିକଶିତ କରିଥିବା କଥା ଦର୍ଶାଇ ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱର ଅଧିକାଂଶ ବାସ୍ତବ ସମୟ ଡିଜିଟାଲ୍ ଦେଣନେଣ ଆଜି ଭାରତରେ ହେଉଛି। ଏହାବ୍ୟତୀତ, ଖେଳକୁଦକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଭୂତପୂର୍ବ ପଦକ୍ଷେପ ନେଉଥିବାବେଳେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନ ରକ୍ଷା ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ସେ ଦେଶବାସୀଙ୍କୁ ନିଜ ସମ୍ବୋଧନରେ ଅବଗତ କରାଇଛନ୍ତି।

Dharitri – Odisha’s No.1 Odia Daily

Share