କଟକ,୧୧ା୧୧: ଓଡ଼ିଶାର ଐତିହାସିକ ତଥା ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘କଟକ ବାଲିଯାତ୍ରା’କୁ ନେଇ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷର ବାଲିଯାତ୍ରା ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ।
ଆସନ୍ତା ନଭେମ୍ବର ୨୪ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ଆନୁଷ୍ଠାନିକ ଭାବେ ଏହି ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ଓ ଯୋଗଦାନ ନେଇ କଟକ ଜିଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।
ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।