ଭୁବନେଶ୍ବର,୨୪।୧୧: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ବେଳେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ବାଗତ ଜଣାଇଛନ୍ତି । ଅପରାହ୍ଣରେ ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନ କରିବେ । କାଲି ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବାଲିଯାତ୍ରା ମହୋତ୍ସବ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳୟରେ ସଡ଼କପଥ ଯୋଗେ କଟକରେ ଆସି ପହଞ୍ଚିବେ। ପରେ ସିଲଭରସିଟି ବୋଟ୍ କ୍ଲବରୁ କଳିଙ୍ଗ ତରଙ୍ଗିଣୀ ନୌକା ଯୋଗେ ବାଲିଯାତ୍ରା ପଡ଼ିଆକୁ ଯିବେ। ଏଥିପାଇଁ କଳିଙ୍ଗ ତରଙ୍ଗିଣୀ ନୌକାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ସମେତ ଏଥିରେ ୧୫ଜଣ ବସିବାର ବ୍ୟବସ୍ଥା କରାଯାଇଛି।
ବାଲିଯାତ୍ରା ପଡ଼ିଆରେ ନୌକା ପହଞ୍ଚିବା ପରେ କଟକ ଇନ୍ କଟକଠାରେ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ । ପରେ ସେଠାରୁ ଓର୍ମାସ ପରିଦର୍ଶନ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ରାଷ୍ଟ୍ରପତି ପହଞ୍ଚି ମହୋତ୍ସବର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।