୭ ଦିନରେ ଠିକ୍‌ ତାଲିକା ପ୍ରସ୍ତୁତ କର ନଚେତ୍‌ ବ୍ଲକ ଆଗରେ ବିକ୍ଷୋଭ: କଂଗ୍ରେସ

ଭୁବନେଶ୍ବର,୨୮।୧(ବ୍ୟୁରୋ): ଅବାସ ଯୋଜନାର ହିତାଧିକାରୀ ଚୟନରେ ରାଜ୍ୟ ସରକାର ଯେଉଁଭଳି ଭାବେ ନିଜ ଦଳୀୟ ଭିତିରେ ହିତାଧିକାରୀ ଚୟନ କରୁଛନ୍ତି ସେଥିରୁ ନିବୃତ ରୁହନ୍ତୁ। ପ୍ରକୃତ ବାସହୀନଙ୍କୁ କିଭଳି ଘର ମିଳିବ ସେଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ। ହିତାଧିକାରୀ ଚୟନ କ୍ଷେତ୍ରରେ ଜାଲ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ସରକାର ଏବଂ ବିଜେଡି ପାଇଁ ବହୁ ମହଙ୍ଗା ପଡ଼ିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି। ଯଦି ଆସନ୍ତା ୭ ଦିନ ଭିତରେ ଠିକ୍‌ ତାଲିକା ପ୍ରସ୍ତୁତ କରା ନ ଯାଏ ତେବେ କଂଗ୍ରେସ ରାଜ୍ୟରେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବ। ଗରିବ ହିତାଧିକାରୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ପ୍ରତ୍ୟେକ ସ୍ତରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛି। ଦଳୀୟ ଭିତିରେ ଘର ବାଣ୍ଟିବା ରାଜନୀତି ସମ୍ପୂର୍ଣ୍ଣରୂପେ ଜନସ୍ବାର୍ଥବିରୋଧି ବୋଲି ସେ କହିଛନ୍ତି।