ଦିଗପହଣ୍ଡି,୨୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଜୀର୍ଣ୍ଣଦ୍ଧାର ପୂର୍ବକ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ମହାଯଜ୍ଞ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ମନ୍ଦିର ପରିସରରେ ଗ୍ରାମର କାଳିଆ ପ୍ରଧାନ, ରବୀନ୍ଦ୍ର ପ୍ରଧାନ ଏବଂ କାଙ୍ଗାଳି କନ୍ୟାରିଙ୍କ ମିଳିତ ଆବାହନରେ ଆୟୋଜିତ ସଭାରେ ଗ୍ରାମବାସୀଙ୍କ ପକ୍ଷରୁ ନକୁଳ ପ୍ରଧାନ ମନ୍ଦିର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ । ଜକର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ଯୋଗଦେଇ ଜକର ଗ୍ରାମର ଇତିବୃତ୍ତି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହାସିକ ତତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟରେ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଥିଲେ । ସଭାରେ ମନ୍ଦିର ପ୍ରତିଷ୍ଠା କମିଟି ଗଠନ କରାଯାଇଥିଲା।
ସଭାପତି ଭାବେ ଚୈତନ୍ୟ ପ୍ରଧାନ, ଉପସଭାପତି ବିଜୟ ପ୍ରଧାନ ଓ ହେମନ୍ତ ପ୍ରଧାନ, ସମ୍ପାଦକ ଭାବେ ବାବାଜୀ କନ୍ୟାରୀ, ସହ-ସମ୍ପାଦକ ନିରଞ୍ଜନ ବେହେରା ଓ କୁରେଶୁ ସେଠୀ ଏବଂକୋଷାଧ୍ୟକ୍ଷ ଭାବେ ଶିଶିର ମହାରଣାଙ୍କୁ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା।
ମନ୍ଦିରର ନିଜସ୍ୱ ଭୂ-ସମ୍ପତ୍ତି ନଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିତ୍ୟ ଭୋଗକୁ ସୂର୍ଯ୍ୟ-ଚନ୍ଦ୍ର ଥିବା ଯାଏ ଅବିରତ ଜାରି ରଖିବା ପାଇଁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା, ଭୋଗ ଲାଗି ପାଇଁ ୭୩୦ ସଭ୍ୟ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ସଭ୍ୟ ମନ୍ଦିର କମିଟି ରେ ୫ ହଜାର ଟଙ୍କା ସ୍ଥାୟୀ ଜମାରାଶି ଦାଖଲ କରି ବର୍ଷକୁ ଥରେ ନିଜର କିମ୍ବା ନିଜ ପ୍ରିୟଜନଙ୍କ ନାମରେ ଚିରସ୍ଥାୟୀ ଭୋଗ ଲଗାଇପାରିବେ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସଭାରେ ଉପସ୍ଥିତ ୫୦ ସଭ୍ୟ ଭୋଗ ଲାଗି ନିମନ୍ତେ ସେମାନଙ୍କ ନାମ ପଞ୍ଜୀକୃତ କରିଥିଲେ।
ଆସନ୍ତା ବୁଧବାର ଗ୍ରାମ ପୁରୋହିତଙ୍କ ପରାମର୍ଶ କ୍ରମେ ଏବଂ ଯଜ୍ଞ ପୁରୋହିତଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଶାସ୍ତ୍ରୀୟ ବିଧି ଅନୁଯାୟୀ ମନ୍ଦିର
ପ୍ରତିଷ୍ଠାର ଶୁଭ ଦିନ ଓ ଲଗ୍ନ ଧାର୍ଯ୍ୟ କରାଯିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ପାର୍ଶ୍ୱ ଦେବତାଙ୍କ ମନ୍ଦିର, ସିଂହଦ୍ୱାର, ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର, ମୁଖଶାଳା ଇତ୍ୟାଦି ନିର୍ମାଣ ନିମନ୍ତେ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୁରୁଷୋତ୍ତମ ପ୍ରଧାନ, ମନୋଜ କୁମାର ପ୍ରଧାନ, ବାରିକ ରେଡ୍ଡୀ, ମହେଶ୍ୱର ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା ଅବସରରେ ଅନୁଷ୍ଠିତ ହେବାକୁ ଥିବା ମହାଯଜ୍ଞ ପରିଚାଳନା ନିମନ୍ତେ ସଂକଳ୍ପ ନେଇଥିଲେ ।

