ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି: ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ୱ ବଙ୍ଗଳା ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜୁଲାଇ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ସ୍ଥାନୀୟ ବଜାର ଗାନ୍ଧୀ ଛକଠାରେ ହେବାକୁ ଥିବା ମହୋତ୍ସବକୁ ସର୍ବାଙ୍ଗୀନ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। ଲୋକକଳାର ପ୍ରଚାର ପ୍ରସାର ସହ ଖେମୁଣ୍ଡି ମାଟିର ଐତିହ୍ୟକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ଏହି ଭବ୍ୟ ମହୋତ୍ସବ ଆୟୋଜନ କରାଯାଉଛି ବୋଲି ବିଧାୟକ ପ୍ରକାଶ କରିବା ସହ କାର୍ଯ୍ୟକ୍ରମର ରୂପରେଖର ସମୀକ୍ଷା କରିଥିଲେ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ଲୋକନୃତ୍ୟ ଦଳ ମହୋତ୍ସବରେ ପ୍ରମୁଖ ଆକର୍ଷଣ ସାଜିବେ।

ଏହି ଦୁଇଦିନିଆ ମହୋତ୍ସବରେ ବହୁ ବିଶିଷ୍ଟ ଅତିଥି ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଉଦଘାଟନୀ ଦିବସରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଏବଂ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧିମାନେ ସାମିଲ ହେବେ। ସେହିପରି ଦ୍ୱିତୀୟ ତଥା ଉଦଯାପନୀ ଦିବସରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ପ୍ରସ୍ତୁତି ବୈଠକରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ସାହୁ, ମହୋତ୍ସବ କମିଟି ସମ୍ପାଦକ ଆଲୋକ ବିଷୋୟୀ ଏବଂ କୋଷାଧ୍ୟକ୍ଷ ରଘୁନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏଥିସହ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଆଇନଜୀବୀ କୁରେଶୁ ପଣ୍ଡା, ଅଶେଷ ନାଥ ମିଶ୍ର, ହର ପ୍ରସାଦ ରଥ, ରବୀନ୍ଦ୍ର ନାଥ ଡାକୁଆ ଓ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ବହୁ ସଦସ୍ୟ ଉପସ୍ଥିତ ରହି ମହୋତ୍ସବର ସଫଳ ପରିଚାଳନା ନେଇ ନିଜର ସୁଚିନ୍ତିତ ମତାମତ ଦେଇଥିଲେ।

Dharitri – Odisha’s No.1 Odia Daily

Share