ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଭୁବନେଶ୍ୱର, ୨୧।୭: ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ ବିସ୍ତୃତ ଆଲୋଚନା କରାଯାଉଛି।

ବୈଠକରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନର ସୁଚାରୁ ପରିଚାଳନା, ପ୍ରସ୍ତୁତି, ଭୋଟର ତାଲିକାର ଅଦ୍ୟତନ, ମତଦାନ କେନ୍ଦ୍ରର ବ୍ୟବସ୍ଥା, ନିର୍ବାଚନୀ କର୍ମଚାରୀଙ୍କ ନିଯୁକ୍ତି, ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରାଯାଉଛି।

ଏଥିସହ ଜିଲ୍ଲାସ୍ତରରେ ନିର୍ବାଚନ ପରିଚାଳନାରେ ସମ୍ଭାବ୍ୟ ସମସ୍ୟା, ସେଗୁଡ଼ିକର ସମାଧାନ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ମତଦାନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା ହେବା  ନେଇ ସୂଚନା ମିଳିଛି।

ନିର୍ବାଚନ ଆୟୋଗ ଜିଲାପାଳମାନଙ୍କୁ ନିର୍ବାଚନୀ ପ୍ରସ୍ତୁତିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ ସମସ୍ତ ପର୍ଯ୍ୟାୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି।

ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନର ସମ୍ଭାବ୍ୟ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଏହି ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily