‘୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ଲାଗି ପ୍ରସ୍ତୁତି’

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ସାମୁଦ୍ରିକ ଝଡ଼ ‘ୟାସ୍‌’ ଦ୍ବାରା ସଙ୍ଗଠିତ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ସହ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସରବରାହର ପୁନରୁଦ୍ଧାର ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସମସ୍ତ ବିତରଣ କମ୍ପାନୀ, ଗ୍ରୀଡ୍‌କୋ, ଓପିଟିସିଏଲ୍‌, ପିଜିସିଆଇଏଲ୍‌ ଓ ଏନ୍‌ଟିପିସିର ଅଧିକାରୀଙ୍କୁ ଭର୍ଚୁଆଲ ବୈଠକରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ଏକ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ ସହ ମାନବ ସମ୍ବଳ ବିନିଯୋଗ, ଯନ୍ତ୍ରପାତିର ଉପଯୋଗ ଓ ସରଞ୍ଜାମ ଉପଲବ୍ଧ ଆଦିକୁ ପ୍ରଭାବୀ ଭାବେ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ବିଦ୍ୟୁତ୍‌ଜନିତ ଧନଜୀବନ ହାନି ଯେପରି ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ-ମୃତ୍ୟୁ ମିଶନକୁ ସଫଳ କରିବାକୁ ସେ ପରାମର୍ଶ ଦେବାସହ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସହଯୋଗ ନେବାକୁ କହିଛନ୍ତି।
ସେ କହିଛନ୍ତି ଯେ ପ୍ରତି ଜିଲାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଜିଲା ପ୍ରଶାସନ ସହିତ ସମ୍ପର୍କରେ ରହିବା। ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍‌ ହସ୍ପିଟାଲ୍‌ଗୁଡ଼ିକ କାର୍ଯ୍ୟକ୍ଷମ ରହିଛି। ତେଣୁ ଏହି ବାତ୍ୟା ସମୟରେ କିପରି ବିକଳ୍ପ ପଦ୍ଧତିରେ ବିଦ୍ୟୁତ୍‌ ଯୋଗାଣ କରାଯିବ ସେଥିପାଇଁ ଆକଳନ କରି ଡିଜି ସେଟ୍‌ ଉପଲବ୍ଧ କରିବାକୁ ହେବ। ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଜିଲା ସଦର ମହକୁମା, କୋଭିଡ୍‌ ହସ୍ପିଟାଲ, ଅକ୍ସିଜେନ ପ୍ଲାଣ୍ଟ, ବ୍ଲକ ମୁଖ୍ୟାଳୟ, ପାଣି ପମ୍ପ ପ୍ରଭୃତି ସ୍ଥାନକୁ ଅଗ୍ରାଧିକାରଭିତ୍ତିରେ ବିଦ୍ୟୁତ୍‌ ଯୋଗାଣ କରାଯିବ। ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକ ତରଫରୁ ଆବଶ୍ୟକ ମାନବସମ୍ବଳ ଓ ଉପକରଣ, ଯାନବାହନ ଆଦି ଆଗୁଆ ପ୍ରସ୍ତୁତ ରଖାଯାଇଥିବା ପ୍ରକାଶ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ, କେବୁଲ, ତାର, ଟ୍ରାନ୍ସଫର୍ମର, ଶକ୍ତିଚାଳିତ କରତ, ବାଉଁଶ ଶିଡ଼ି, ଡବଲ ପୁଲି, ହାଇଡ୍ରା ମେଶିନ, ପୋଲ୍‌ ମାଷ୍ଟର, ଓ୍ବେଲ୍‌ଡିଂ ମେଶିନ, ଆସ୍କା ଲାଇଟ୍‌, ଡିଜି ସେଟ୍‌, ଟର୍ଚ୍ଚ ଲାଇଟ୍‌, ଭ୍ରାମ୍ୟମାଣ ପାଓ୍ବାର ବ୍ୟାଙ୍କ, ଫାଷ୍ଟ-ଏଡ୍‌ ବକ୍ସ, କର୍ମଚାରୀଙ୍କ ପାଇଁ ଶୁଖିଲା ଖାଦ୍ୟ, ଔଷଧ, ସାପ ବିଷନାଶକ ଔଷଧ ଆଦି ମହଜୁଦ ରଖାଯାଇଥିବା କୁହାଯାଇଛି। ଖୁବ୍‌ଶୀଘ୍ର ବିଦ୍ୟୁତ୍‌ କମ୍ପାନୀଗୁଡ଼ିକ ଏବଂ ଓପିଟିସିଏଲ୍‌ ତରଫରୁ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜ୍ଞାପନ ପ୍ରକାଶ କରାଯିବ। ସୋମବାର ମକ୍‌ଡ୍ରିଲ୍‌ କରାଯାଇ କର୍ମଚାରୀଙ୍କୁ ତ୍ବରିତ ସେବା ଏବଂ ପୁନରୁଦ୍ଧାର ଉପରେ ତାଲିମ ଦିଆଯିବ।