ଗଞ୍ଜାମ,୩।୧୧(ବିଦ୍ୟାଧର ସାହୁ): ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ଓ ପରିବେଶ ସୁରକ୍ଷା ନେଇ ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଦି ଇକୋ ୱାରିଆର ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମୁଦ୍ରରୁ ଉଚ୍ଚ ଲହଡି ଦ୍ୱାରା ଭାସି ଆସି କୂଳରେ ଲାଗିଥିବା ଛିଣ୍ଡା ଚପଲ, ପଲିଥିନ, ଛିଣ୍ଡା ଜାଲ, ବିଭିନ୍ନ ଖାଦ୍ୟ ଖୋଳ, ଆଇସକ୍ରିମ କାଗଜ ଆଦି ୩ କି.ମି. ପର୍ଯ୍ୟନ୍ତ ସଫେଇ କରିଥିଲେ ସ୍ବେଚ୍ଛାସେବୀ ସଦସ୍ୟମାନେ l ଗଞ୍ଜାମ ବ୍ଲକ ଅନ୍ତର୍ଗତ ଅଳେଶ୍ୱର ଶୈବପୀଠ ନିକଟସ୍ଥ ବେଳାଭୂମିଠାରୁ ପୋଡମ ପେଟା ଗଙ୍ଗାଦେବୀ ସ୍ଥିତ ସମୁଦ୍ର ବେଲଭୂମି ପର୍ଯ୍ୟନ୍ତ ସଫେଇ କରାଯାଇଥିଲା l
ଦି ଇକୋ ୱାରିଆର ପକ୍ଷରୁ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀ ଖାଦ୍ୟ ଖାଇ ସାରିବା ପରେ ଖାଦ୍ୟ ଖୋଳ ଏବଂ ପଲିଥିନ ସମୁଦ୍ରରେ ନ ଫୋପାଡିବାକୁ ଇକୋ ୱାରିଆର ସଦସ୍ୟମାନେ ଆହ୍ବାନ ଦେଇଛନ୍ତି l
ଗଣ ଅଣ୍ଡାଦାନ ପାଇଁ ଆସୁଥିବା ବିରଳ ସାମୁଦ୍ରିକ କାଇଁଚମାନେ ଛିଣ୍ଡା ଜାଲରେ ଫସି ଆକାରଣରେ ମୃତ୍ୟୁବରଣ କରିଥାନ୍ତି ବୋଲି ଇକୋ ୱାରିଆର ସଦସ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଦି ଇକୋ ୱାରିଆରର ସୀମାଞ୍ଚଳ ଦାସ, ପ୍ରଭାତ ବିଶ୍ୱାଳ, କରୁଣାକର ରେଡି, ଆକାଶ ଗୌଡ଼ ପ୍ରଣବ ପ୍ରଧାନ, ପ୍ରଭାତ ସାହୁ, ବଳରାମ, ସନ୍ତୋଷ ରାଉଳ ପୂର୍ଣ ରେଡ୍ଡି, କିରଟ ରେଡ୍ଡି, ସୂର୍ଯ୍ୟ ମହାରଣା, ସଚ୍ଚିଦାନନ୍ଦ ଜେନା ପ୍ରମୁଖ ସଫେଇ ଅଭିଯାନରେ ସାମିଲ ଥିଲେ l

