ଅବସର ପୂର୍ବ ଓ ପରର ପ୍ରସ୍ତୁତି

ଜନ୍ମ ଓ ମୃତ୍ୟୁ ଯେଭଳି ଅକାଟ୍ୟ ସତ୍ୟ, ସେଭଳି ଚାକିରିର ନିର୍ଦ୍ଧାରିତ ଅବଧି ପରେ ଅବସର ନେବା ବା ସେବା ନିବୃତ୍ତ ହେବା ନିଶ୍ଚିତ। ତେଣୁ ଚାକିରି ସରିବା ବେଳେ ଅଧୀର ଓ ଅଧୈର୍ଯ୍ୟ ହେବା ଅନୁଚିତ। ଏହା ସତ୍ୟ ଯେ ଚାକିରି ସମୟ ଓ ପରର ଅବସ୍ଥା ଭିତରେ ଅନେକ ଭିନ୍ନତା ରହିଛି। ଚାକିରି ସମୟରେ ଗୋଟିଏ ପ୍ରକାର ବ୍ୟବସ୍ଥିତ ଜୀବନ ଜିଇବାକୁ ପଡ଼େ। ଠିକ୍‌ ସମୟରେ କାର୍ଯ୍ୟାଳୟରେ ପହଞ୍ଚତ୍ବା, ଦିନତମାମ ନିଜ ସରକାରୀ ବା ବେସରକାରୀ କାମରେ ବ୍ୟସ୍ତ ରହିବା ଓ ସମ୍ପୂର୍ଣ୍ଣ ବ୍ୟସ୍ତବହୁଳ ଜୀବନ ବିତେଇବା ଇତ୍ୟାଦି। ସେତେବେଳେ ବନ୍ଧୁ ଅନେକ, କିନ୍ତୁ ସମୟ ଅଭାବରୁ ସମ୍ପର୍କ କମ୍‌, ମାନେ ସମ୍ପଦ ଅନେକ ହେଲେ ସମ୍ପର୍କ ନଗଣ୍ୟ।

ବହୁ ସମୟରେ ଦେଖାଯାଏ କି ଅନେକ ଲୋକ ସେବା ନିବୃତ୍ତ ପରେ ଅତ୍ୟନ୍ତ ନିରାଶ, ବିବସ ଓ ହତୋତ୍ସାହ ହୋଇପଡ଼ନ୍ତି। ଏପରିକି ସେମାନଙ୍କର ମାନସିକ ସନ୍ତୁଳନ ବିଗିଡ଼ିଯାଏ ଏବଂ ଶୀଘ୍ର ଦେହତ୍ୟାଗ କରିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଭଳି ବିବସତାର କାରଣ ଅନେକ। ପ୍ରଥମତଃ ଦୈନନ୍ଦିନ କାର୍ଯ୍ୟରୁ ହଠାତ ଛୁଟି ହୋଇଯାଏ। ପୂର୍ବ ପ୍ରସ୍ତୁତି ଓ ଯୋଜନା ନ ଥିବାରୁ ସମୟ କିପରି କଟିବ ଭାବି ଭାବି ମାନସିକ ଦୁଶ୍ଚିନ୍ତାର ଶିକାର ହୁଅନ୍ତି। ଦ୍ୱିତୀୟରେ ପାରିଶ୍ରମିକ ଭାବରେ ପାଉଥିବା ମାସିକ ପାଉଣା ହଠାତ୍‌ ଅଧା ହୋଇଯାଏ ବା ପୂରା ଶୂନ୍ୟ ହୋଇଯାଏ। ବେଳେବେଳେ କାଗଜପତ୍ର ଠିକ୍‌ଠାକ୍‌ ନଥିବା ହେତୁ ଅବସର ଅନେକ ମାସ ବା ବର୍ଷ ପରେ ମଧ୍ୟ ପେନ୍‌ସନ ପାଇବାରେ ଜଟିଳତା ଦେଖାଦିଏ। ତୃତୀୟରେ ପଦବୀରେ ଥିବାବେଳେ ଯେଉଁ ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ଥାଏ ତାହା କମିଯାଏ। ବିଶେଷକରି ନିଜ ଚାକିରି ଜୀବନରେ ଯଦି ପଦ ପଦବୀ ବା ଚୌକି ମାୟାରେ ଅନ୍ଧ ହୋଇ ଲୋକମାନଙ୍କୁ ହଇରାଣ ହରକତ କରିଥିବେ, ସାମାଜିକ ସମ୍ପର୍କ ରଖି ନ ଥିବେ, ତେବେ କଥା ସରିଲା। ଅବସର ପରେ କେହି ମୁହଁ ବି ଚାହିଁବେ ନାହିଁ। ଚତୁର୍ଥରେ ଯଦି ଚାକିରି ସମୟରେ ଦରମା ଛଡ଼ା ହାତଗୁଞ୍ଜା ନେବାର ଅଭ୍ୟାସ ଥାଏ, ତାହାହେଲେ ଅବସର ପରେ ଉପୁରିକୁ ଭାବିଭାବି ରକ୍ତଚାପ ବଢ଼ିବା ସମ୍ଭାବନା ବେଶି। ପଞ୍ଚମରେ ଚାକିରି କାଳରେ ଦିନ ରାତି ଫାଇଲ ଚାଷ କରି କରି ସିଂହ ଭାଗ ସମୟ ବିତିଯାଏ। ଫଳତଃ ନା ପରିବାରକୁ ସମୟ ଦେଇପାରେ ନା ପଡ଼ୋଶୀ ବା ଅନ୍ୟ ମାନଙ୍କୁ। ତେଣୁ ଅବସର ପରେ ସମୟ ଅତିବାହିତ କରିବା ପାଇଁ ସାଙ୍ଗସାଥୀର ଅଭାବ ଦେଖାଯାଏ। ଫଳତଃ ସମୟ ବିତେଇବା କଷ୍ଟକର ହୋଇପଡ଼େ ଓ ମାନସିକ ଅବସାଦ ବଢ଼େ। ଷଷ୍ଠରେ ଆଜିକାଲିର ପାରିବାରିକ ଜୀବନ ଅତ୍ୟନ୍ତ ଦୁର୍ବିଷହ। ଆଜିକାଲି ପୂର୍ବ ପରି ଯୌଥ ପରିବାର ବ୍ୟବସ୍ଥା ଆଉ ନାହିଁ। ସମସ୍ତେ ଆମେ ଦୁଇ ଆମର ଦୁଇ ବା ଏକ ନୀତିର ଗରାଖ। ତାହା ପୁଣି ଏକା ଏକା ରହିବାକୁ ଇଚ୍ଛା। ସମସ୍ତେ ରୋଜଗାର ପାଇଁ ବ୍ୟସ୍ତ। ମାଆବାପାମାନେ ନିଜ ପିଲାମାନେ କିପରି ଟଙ୍କା ଉତ୍ପାଦନ ଯନ୍ତ୍ର ହୋଇ କୋଟି କୋଟି ରୋଜଗାର କରିପାରିବେ, ସେଥିପାଇଁ ପ୍ରବଳ ଇଚ୍ଛୁକ ଓ ଉତ୍ସୁକ। ତେଣୁ ପିଲାମାନେ ବଡ଼ ବଡ଼ ଅନୁଷ୍ଠାନରେ ପାଠପଢି କିଭଳି ବଡ଼ ବଡ଼ ଡିଗ୍ରୀ ହାସଲ କରି ରାଜ୍ୟ ବା ଦେଶ ବାହାରେ କାମକରି ଟଙ୍କା ଗଦାରେ ବସିବେ, ସେଥିପାଇଁ ତତ୍ପର। ତେଣୁ ବାର୍ଦ୍ଧକ୍ୟ ସମୟରେ ପିଲାମାନେ ଦେଶବିଦେଶରେ ବା ଘରଠାରୁ ଅନେକ ଦୂରରେ । ଘରେ କେବଳ ବୁଢ଼ୀବୁଢ଼ାଙ୍କ ନିଃସଙ୍ଗ ଜୀବନ। ପିଲାମାନଙ୍କ ଦୟା ହେଲେ ଫୋନ୍‌ରେ ଦେଖାଦେଖି ବା ଗପାଗପି।

ଅପରପକ୍ଷରେ ଛୋଟ ପରିବାରରେ ରହି ସୁଖ ପାଇବା ନିଶାରେ ନିଜ ଝିଅପୁଅଙ୍କୁ ଗୁରୁତ୍ୱ ଦେଇ ନିଜ ମାଆବାପାଙ୍କୁ ଅବହେଳା କରିଥିଲେ, ନିଜ ପିଲାମାନେ ମଧ୍ୟ ମାଆବାପାଙ୍କୁ ସେମାନଙ୍କ ଶେଷ କାଳରେ ଅବହେଳା କରିବା ଆରମ୍ଭ କରିଦିଅନ୍ତି। ଫଳରେ ବୃଦ୍ଧାବୃଦ୍ଧ ମନସ୍ତାପ ଭିତରେ ମାନସିକ ଓ ଆବେଗିକ ସ୍ତରରେ ଭାଙ୍ଗି ପଡ଼ନ୍ତି। ଏଭଳି ଅନେକ କାରଣ ଅବସର ପରର ଅଶାନ୍ତ, ଅସନ୍ତୋଷ ତଥା ଦୁଃଖଦ ଜୀବନର ମୁଖ୍ୟ କାରଣ ହୋଇପାରେ। ତେବେ ଅବସର ପରର ଜୀବନକୁ ବ୍ୟବସ୍ଥିତ, ଶୃଙ୍ଖଳିତ, ସଙ୍ଗଠିତ ତଥା ସୁଖକର, ଶାନ୍ତିମୟ ଓ ଫଳପ୍ରଦ କରିବା ପାଇଁ ପୂର୍ବପ୍ରସ୍ତୁତି ନିତାନ୍ତ ପ୍ରୟୋଜନ। ନିମ୍ନରେ କେତେକ ଉପାୟ ସମ୍ବନ୍ଧରେ ଆଲୋଚନା କରାଗଲା।

ପ୍ରଥମତଃ ଅବସର ନେଇଥିବା ବ୍ୟକ୍ତି ନିଜକୁ ସମାଜର ସାଧାରଣ ମଣିଷ ଭଳି ବଞ୍ଚିବା ପାଇଁ ମାନସିକ ପ୍ରସ୍ତୁତି କରିବା ଉଚିତ। ମାନେ ସେବା ନିବୃତ୍ତ ହେବା ପରେ ମଧ୍ୟ ଅନେକ ଲୋକ ନିଜକୁ ଅଫିସର୍‌, କର୍ମଚାରୀ ବା ଚାକିରିରେ ଥିଲାବେଳେ ଯେଉଁ ଥାଟ ଥିଲା ସେମିତି ଭାବେ ନିଜକୁ ଗ୍ରହଣ କରିଥାନ୍ତି । କିନ୍ତୁ ଲୋକେ ତାଙ୍କୁ ସେଭଳି ଗ୍ରହଣ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ। ଫଳରେ ଦୁଃଖୀ ହୁଅନ୍ତି। ଅଭିମାନ ଅବା କ୍ରୋଧ ପ୍ରକାଶ କରନ୍ତି, ଯାହାର କୌଣସି ମୂଲ୍ୟ ହିଁ ନ ଥାଏ। ତେଣୁ ଅବସର ପରେ ବ୍ୟକ୍ତି ଚାକିରିର ପୂର୍ବ ଅବସ୍ଥାକୁ ଆସିଯିବା ଉଚିତ। ବିଶେଷକରି ନିଜ କଲୋନୀ ବା ସାହି ବା ସମାଜରେ ସମସ୍ତଙ୍କ ସହ ମିଳିମିଶି ଚଳିବାକୁ ମାନସିକ ପ୍ରସ୍ତୁତି କରିପାରିଲେ ଆନନ୍ଦ ମିଳିପାରିବ। ଦ୍ୱିତୀୟରେ ଅବସର ପରେ ସମୟ କିପରି ଅତିବାହିତ କରିବେ ସେଥିପାଇଁ କର୍ମନିଯୁକ୍ତି ସମୟରେ ହିଁ ଯୋଜନା ବା ପୂର୍ବପ୍ରସ୍ତୁତି କରିବା ଦରକାର। ତୃତୀୟରେ ଫଳପ୍ରଦ ଅବସର ଜୀବନ ପାଇଁ କୌଣସି ଆଧ୍ୟାତ୍ମିକ ସଙ୍ଗଠନ ବା ସାମାଜିକ ସେବା ପ୍ରଦାନକାରୀ ଅନୁଷ୍ଠାନ(ଗୁଡ଼ିକ)ରେ ନିଜକୁ ନିୟୋଜିତ କରିବା ପାଇଁ ମାନସିକ ପ୍ରସ୍ତୁତି ଜରୁରୀ। ଚତୁର୍ଥରେ ସମାଜର ଅବହେଳିତ ଲୋକଙ୍କ ସେବା ପାଇଁ ନିଜକୁ ସଜାଗ କରାଇପାରିଲେ ନିଜର ସମୟ ସଫଳ ଭାବେ ଉପଯୋଗ ହେବ। ଷଷ୍ଠରେ ଅବସର ପରେ ପୁସ୍ତକ ପଠନ ଓ ଲିଖନରେ ନିଜକୁ ନିୟୋଜିତ କରାଯାଇପାରେ। କାରଣ ପୁସ୍ତକ ଭଳି ନିର୍ଭରଶୀଳ ଉପକାରୀ ବନ୍ଧୁ ଏ ଦୁନିଆରେ କେହି ନୁହେଁ। ପୁସ୍ତକ କେବଳ ଜ୍ଞାନ ସରଞ୍ଚନାର ଏକ ବିସ୍ତୀର୍ଣ୍ଣ ମାର୍ଗ ନୁହେଁ ବରଂ ଏହା ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାର ଉପାୟ, ମନସ୍ତାପ ବେଳର ହସ ସଞ୍ଜିବନୀ, ଦୁଃଖଦ ଅବସ୍ଥାର ସମବେଦନା ଓ ସବୁ ସମସ୍ୟାର ସମାଧାନ ମନ୍ତ୍ର। ତେଣୁ ସେବା ନିବୃତ୍ତ ସମୟ ସୁଖମୟ ସହ ବ୍ୟବସ୍ଥିତ ଜୀବନ ଜିଇବାକୁ ହେଲେ ଅବସର ପୂର୍ବ ଓ ପରର ଯୋଜନାବଦ୍ଧ ପ୍ରସ୍ତୁତି ପ୍ରଣିଧାନଯୋଗ୍ୟ।

ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?