ସରକାରୀ ସୁବିଧା ପାଇଁ ଗର୍ଭବତୀ ନାଟକ

ମାଲକାନଗିରି,୨୨ା୩(ଡି.ଏନ୍‌.ଏ.): ସରକାରୀ ସୁବିଧା ପାଇବା ପାଇଁ ଗର୍ଭବତୀ ହେବା ନାଟକ କରାଯାଇଛି। ଏଭଳି ଘଟଣା ମାଲାକନଗିରି ଜିଲା ମାଥିଲି ଅଞ୍ଚଳରେ ଘଟିଛି। ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ କୋଳରୁ ଶିଶୁ ଗାଏବ ଘଟଣାର ତଦନ୍ତରୁ ଏହି ନାଟକ ଧରାପଡ଼ିଛି। ମହିଳାଙ୍କ ଅଭିଯୋଗ ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି।
ମାଥିଲି ବ୍ଲକ୍‌ ବୀରେନପାଲି ଗ୍ରାମର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା କହି ସ୍ଥାନୀୟ ଏଏନ୍‌ଏମ୍‌ଙ୍କ ନିକଟରେ ନାମ ପଞ୍ଜୀକରଣ କରାଇବା ସହ ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ।
ସୋମବାର ଗର୍ଭ ଯନ୍ତ୍ରଣା ହେଉଥିବା କହି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କୌଶଲ୍ୟା ଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ସେ ଗର୍ଭବତୀ ନ ଥିବା ଜଣାପଡ଼ିଥିଲା। ମାତ୍ର ଏହାକୁ କୌଶଲ୍ୟା ଏବଂ ତାଙ୍କ ପରିବାର ଲୋକେ ଗ୍ରହଣ ନ କରି ମହିଳାଙ୍କ ଗର୍ଭରୁ ଶିଶୁକୁ କେହି ଚୋରେଇ ନେଇଯାଇଥିବା ଅଭିଯୋଗ କରିଥିଲେ। ପରେ ଘଟଣା ନେଇ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଥାନାରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭକରି କୌଶଲ୍ୟାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ତାଙ୍କୁ ଜିଲା ଚିକିତ୍ସାଳୟରେ ପରୀକ୍ଷା କରାଯିବାରୁ ସେ ଗର୍ଭବତୀ ନ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପଚରାଉଚରା କରିବାରୁ ସେ ସତ ମାନି ଯାଇଥିଲେ। ଏନେଇ ସିଡିଏମ୍‌ଓ ପ୍ରଫୁଲ୍ଲ ନନ୍ଦ କହିଛନ୍ତି, ୨୦୧୭ରୁ ସମ୍ପୃକ୍ତା ମହିଳାଙ୍କ ଫ୍ୟାମିଲି ପ୍ଲାନିଂ ଅପରେଶନ ହୋଇସାରିଛନ୍ତି। ସେ ବର୍ତ୍ତମାନ ଗର୍ଭବତୀ ନ ଥିବା ବେଳେ ସ୍ବାମୀଙ୍କୁ ମିଛ କହି ଏପରି ମିଥ୍ୟା ନାଟକ କରିଥିଲେ। ତାଙ୍କ ଗର୍ଭରେ କୌଣସି ଛୁଆ ନ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସିଡିଏମ୍‌ଓ ନନ୍ଦ କହିଛନ୍ତି।