ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ କୁମାର ଚୌଧୁରୀ। ସେ ସୋରିଷରେ ୧.୫ ସେଣ୍ଟିମିଟର ଉଚ୍ଚତାର ସୂକ୍ଷ୍ମ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ସେହିପରି ୧.୩ ସେଣ୍ଟିମିଟର ଉଚ୍ଚତାର ତାଳଧ୍ୱଜ ଏବଂ ୧.୧ ସେଣ୍ଟିମିଟରର ଦେବଦଳନ ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ତାଙ୍କୁ ୭ ଦିନ ସମୟ ଲାଗିଛି। ତିନି ରଥରେ ପ୍ରାୟ ୩୦୦ ସୋରିଷ ଲାଗିଛି। ଅବସରପ୍ରାପ୍ତ ସେନା କର୍ମଚାରୀ ଏନ. ପ୍ରେମ କୁମାର ଚୌଧୁରୀ ଓ ଏନ.ମମତା ଚୌଧୁରୀଙ୍କ ପୁଅ ପ୍ରତ୍ୟୁଷ ପୂର୍ବରୁ ଚକଖଡ଼ି ଏବଂ ଅରୁଆ ଚାଉଳରେ ବିଶ୍ୱର କ୍ଷୁଦ୍ରତମ ରଥ ତିଆରି କରି ରେକର୍ଡ କରିଛନ୍ତି। ବର୍ତ୍ତମାନ ପୁଣି ସେ ତାଠାରୁ ଆହୁରି କ୍ଷୁଦ୍ର ରଥ ନିର୍ମାଣ କରିଛନ୍ତି। ଏଭଳି ସୂକ୍ଷ୍ମ କଳାକୃତି ସକାଶେ ପୂର୍ବରୁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ନିଜର ଏହ କଳାକୃତିକୁ ବିଭିନ୍ନ ରେକର୍ଡ ବୁକ୍ ସଂସ୍ଥାକୁ ପଠାଇବା ପାଇଁ ସେ ଯୋଜନା ରଖିଥିବା କହିଛନ୍ତି ପ୍ରତ୍ୟୁଷ।