ପ୍ରତିଭାଙ୍କୁ ପଦ୍ମଭୂଷଣ, ପ୍ରମୋଦଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର, ୨୯।୩(ବ୍ୟୁରୋ):ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ଓ କ୍ରୀଡ଼ା କ୍ଷେତ୍ରରେ ପାରା ଆଥ୍‌ଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି। ସୋମବାର ରାଷ୍ଟ୍ରପତି ଭବନ ଦରବାର ହଲରେ ଅନୁଷ୍ଠିତ ୨୦୨୨ର ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଏହି ଦୁଇ ଓଡ଼ିଆଙ୍କ ସମେତ ମୋଟ୍‌ ୬୪ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଥିଲେ। ଏମାନଙ୍କ ମଧ୍ୟରେ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୫୩ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି।
ପଦ୍ମଶ୍ରୀ ପାଇଥିବା ଓଡ଼ିଆ ବାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଗତ ପାରା ଅଲିମ୍ପିକ୍ସରେ ଦେଶ ପାଇଁ ସ୍ବର୍ଣ୍ଣପଦକ ଜିତିଥିଲେ। ଏହାପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଁ ପ୍ରମୋଦଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିଥିଲା। ସେହିପରି ପଦ୍ମଭୂଷଣ ସମ୍ମାନ ପାଇଥିବା ଖ୍ୟାତନାମା ଲେଖିକା ପ୍ରତିଭା ରାୟ ୨୦୦୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୧ରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ଏଥିସହିତ ଅନେକ ସମ୍ମାନରେ ସେ ମଧ୍ୟ ସମ୍ମାନିତ ହୋଇଛନ୍ତି। ତେବେ ସମ୍ମାନଜନକ ପଦ୍ମଭୂଷଣ ଘୋଷଣା ପରେ ସେ କହିଥିଲେ, ଏ ସମ୍ମାନ ମୋ ରାଜ୍ୟର, ମୋ ଭାଷାର। ଏ ସମ୍ମାନ ବ୍ୟକ୍ତିଙ୍କୁ ନୁହେଁ, ସାହିତ୍ୟକୁ ମିଳିଛି।
ସୂଚନାଯୋଗ୍ୟ, ୨୦୨୨ ପାଇଁ ମୋଟ୍‌ ୧୨୮ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ୪ଜଣଙ୍କୁ ପଦ୍ମ ବିଭୂଷଣ, ୧୭ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୪ଜଣ ମହିଳା ଥିବାବେଳେ ୧୩ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୬୪ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୪ଜଣଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ତେବେ ଏହି ଦୁଇ ପର୍ଯ୍ୟାୟରେ ଓଡ଼ିଶାରୁ ଜଣଙ୍କୁ ପଦ୍ମଭୂଷଣ ଓ ୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ବିଶିଷ୍ଟ ପ୍ରବଚକ ଶ୍ରୀମଦ୍‌ ବାବା ବଳିଆ, ବିଜ୍ଞାନ ଓ ବେଷୟିକ ଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସାହିତି୍ୟକ ନରସିଂହ ପ୍ରସାଦ ଗୁରୁ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ସ୍ବର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।