ପ୍ରକାଶ ପାଇଲା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ: ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ

ଖୋର୍ଦ୍ଧା,୩୦ା୬(ପ୍ରଭାତ ପାଣିଗ୍ରାହୀ): ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ପଞ୍ଚଦଶତମ ଶେଷବର୍ଷ ସ୍ନାତକ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫଳ-୨୦୨୩ ଶିକ୍ଷା ବର୍ଷ ନିମନ୍ତେ ଶୁକ୍ରବାର ମୈତ୍ରୀଭବନ ପରିସରରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ମୋଟ୍‌ ପାସ୍‌ ହାର ଶତକଡ଼ା ୮୭.୮ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଛାତ୍ରମାନଙ୍କଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି। ଚଳିତ ବର୍ଷ ଛାତ୍ରୀମାନଙ୍କର ପାସ୍‌ ହାର ୯୩.୯ ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କ ୮୧.୫ ପ୍ରତିଶତ ରହିଛି। କଳା ବିଭାଗରେ ପାସ୍‌ ହାର୍‌ ୯୧.୫ ପ୍ରତିଶତ ରହିଥିବା ବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ୍‌ ହାର୍‌ ଯଥାକ୍ରମେ ୯୪.୬ ଓ ୭୮.୯ ପ୍ରତିଶତ ଅଟେ। ବାଣିଜ୍ୟ ବିଭାଗରୁ ଛାତ୍ରୀ ନିଶା କୁମାରୀ ପାଣ୍ଡେ, କଳା ଶିକ୍ଷା ସମ୍ମାନ ବିଭାଗରୁ ଛାତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା ଓ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି ଛାତ୍ରୀଛାତ୍ର ଆସନ୍ତା ସାମ୍ବତ୍ସରିକ ଉତ୍ସବ-୨୦୨୪ରେ ସର୍ଣ୍ଣପଦକ ପାଇବେ। ଏତଦ୍‌ବ୍ୟତୀତ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ସର୍ବାଧିକ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଅନ୍ତିମ ପରୀକ୍ଷା ଫଳ ୬ଟି ସେମିଷ୍ଟାର ପରୀକ୍ଷାର ମୋଟ୍‌ ଫଳାପଳକୁ ନେଇ ପ୍ରସ୍ତୁତ କରାଯାଇଛି। ଆୟୋଜିତ ସଭାରେ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଅଧ୍ୟକ୍ଷା ଡକ୍ଟର ଅଳନ୍ତା ଶତପଥୀ, ପରୀକ୍ଷା ନିୟଂନ୍ତକ ପ୍ରାଧ୍ୟାପକ ଦେବୀପ୍ରସାଦ ପଟ୍ଟନାୟକ, ପରୀକ୍ଷା ବିଭାଗ ଏବଂ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ରହି ଏହି ସଭା ପରିଚାଳନା କରିଥିଲେ।

Share