ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ

ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍‌ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ ଭିଡିଓ ଶେୟାର କରି ନିଜ ମତ ରଖୁଥିବା ଦେଖାଯାଇଛି। ପ୍ରକୃତି ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଘଟଣାକୁ ଲଜ୍ଜାଜନକ କହିଥିବାବେଳେ ଏବେ ବାବୁସାନ ମଧ୍ୟ ଏକ ଭିଡିଓ ଶେୟାର କରି ମୋତେ କେହି ବ୍ଲାକମେଲ କରିନାହାନ୍ତି ବୋଲି କହିଛନ୍ତି।
ବାବୁସାନ ନିଜ ପରିବାରର ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ପ୍ରକୃତି ମୋର ଭଲ ସାଙ୍ଗା। ନା ସେ ମୋତେ ହଇରାଣ କରୁଛନ୍ତି, ନା ମୋତେ କେହି ବ୍ଲାକମେଲ କରୁଛି। ସେ ମୋତେ ବହୁତ ଭଲ ସହଯୋଗ କରୁଛନ୍ତି।
ସେପଟେ ବାବୁସାନଙ୍କ ପୂର୍ବରୁ ପ୍ରକୃତି ଏକ ଭିଡିଓ ଶେୟାର କରି କହିଛନ୍ତି, କାଲି ମୋ ସହ ଯାହା ଘଟିଲା ତାହା ଲଜ୍ଜାଜନକ। ମୁଁ ସାହାଯ୍ୟ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ମୋତେ ରିଲ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ କରିଦେଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି। ହେଲେ କେହି କାହାଘର ଭାଙ୍ଗିପାରେନା। ଏହା ପୂର୍ବରୁ ଭାଙ୍ଗିଯାଇଛି। ଯଦି ବାବୁସାନ କାମ କରିବା ଭଲ ଲାଗୁନି ତେବେ ତାଙ୍କ ବେକରେ ଶିକୁଳି ବାନ୍ଧି ଘରେ ରଖିଦିଅ। ବାହାରକୁ କାଇଁ ଛାଡୁଛ। ଜଣେ ଝିଅକୁ ଟଣାଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି। ମୁଁ ଆଗକୁ ଆହୁରି ଭଲ କରିବି। ନାଁ କମାଇବି। ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ ।
ସୂଚନାଯୋଗ୍ୟ, ଶନିବାର ବାବୁସାନଙ୍କ ସ୍ତ୍ରୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ। ସେ ପ୍ରକୃତିଙ୍କ ଉପରକୁ ସର୍ବସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ। ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରକୃତିଙ୍କ ବାପା-ମା’ ଖାରବେଳନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହିପରି ତୃପ୍ତି ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହ ଥାନାରେ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ।