ଭାଜପା ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର,୨୯ା୩: ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପା ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। କଟକ ଜିଲା ଭାଜପା ସଭାପତି ଥିଲେ ପ୍ରକାଶ।

ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି। ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି। କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରିନାହିଁ।

ସୂଚନାଯୋଗ୍ୟ, ପ୍ରକାଶ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଭାଜପାରେ ମିଶିଥିଲେ। ସେ ସେହି ବର୍ଷ ଭାଜପା ଟିକେଟ୍‌ରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୪ରେ ପ୍ରକାଶ ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଥିଲେ।