ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ ଅଧିକ ନମ୍ବର ରଖିଥିବା ୮୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି। ଶିକ୍ଷାନୁଷ୍ଠାନର ସମ୍ପାଦକ ଇଂ ଅଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଯୋଗଦେଇ କୃତି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଥୁଆମୁଲ ରାମପୁର ମା’ ମାଣିକେଶ୍ୱରୀ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ପ୍ରଗତି ଡିଗ୍ରୀ କଲେଜର ସଭାପତି ଲକ୍ଷ୍ମୀକାନ୍ତ ବେହେରା, ପ୍ରଗତି ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରଣବ କୁମାର ପଣ୍ଡା, ପ୍ରଗତି କନସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ଏବଂ ପ୍ରଗତି କଲେଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ଖଡ଼ିକାର ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ସମସ୍ତ କୃତି ଛାତ୍ରୀଛାତ୍ର ଓ ସେମାନଙ୍କର ଅଭିଭାବକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଇଂ ଅଜୟ ପଣ୍ଡା ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କଳାହାଣ୍ଡି ଜିଲାରେ ଶିକ୍ଷାର ଉତ୍କର୍ଷତା ଅବ୍ୟାହତ ରଖିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଗତି କନସେପ୍ଟ ସ୍କୁଲର ଶିକ୍ଷକ ଜତୀନ କୁମାର ମହାନ୍ତି, ତପସ୍ୱିନୀ ପଟ୍ଟନାୟକ ଓ ସମୀକ୍ଷା ରାଣୀ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଗତି ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share