ମୂଲ୍ୟବୋଧ ସହ ସାଲିସ କରି ନ ଥିଲେ ପ୍ରଦ୍ୟୁମ୍ନ: ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ସମାଜବାଦୀ ନେତା ତଥା ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଦ୍ୟୁମ୍ନ ବଳ ଜୟନ୍ତୀ ସମାରୋହ କମିଟି ପକ୍ଷରୁ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଛାତ୍ର ନେତା ଭାବେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ଜୀବନରେ ସେ ସବୁବେଳେ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ଏଥିସହ ସେ କେବେ ବି ସାଲିସ କରିନାହାନ୍ତି। ତାଙ୍କ ଉଦ୍ୟମ ଯୋଗୁ ପ୍ରଗତିବାଦୀ ଏକ ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇ ନିଜର ସ୍ଥିତିକୁ ମଜଭୁତ କରିପାରିଛି। ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ୍‌ କମିଟି ଗଠନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଥିଲେ। ବର୍ତ୍ତମାନ ସମାଜ ଆଗକୁ ବଢୁଛି। ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟୁଛି। ପରିବର୍ତ୍ତନ ସହ ମୂଲ୍ୟବୋଧର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ଏହା ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ କ୍ରିଷ୍ଣାରାଣୀ ବୋଷଙ୍କୁ ‘ପ୍ରଦ୍ୟୁମ୍ନ ବଳ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ୧୦ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
ବିଶିଷ୍ଟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦ୍ୟୁମ୍ନ ବଳଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିଥିଲେ। ମୁଖ୍ୟବକ୍ତା ଭାବେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଓ ସମ୍ମାନିତ ଅତିଥିଭାବେ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ। ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ତଥା ଏମ୍‌ପି ଡ. ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ପ୍ରଗତିବାଦୀର ଡାଇରେକ୍ଟର ଡ. ମୋନାଲିସା ବଳ ଧନ୍ୟବାଦ ଦେଇଥିଲେ। ଶରଣାରବିନ୍ଦ ପରିଚାଳନା କରିଥିଲେ।