ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ କରିବାକୁ ଭବାନୀପାଟଣାର ଜଣେ ଠିକାଦାରଙ୍କୁ କାମ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଆଜକୁ ୫ମାସ ହେଲାଣି ଏମ୍‌ଇ ସ୍କୁଲରୁ କିଛି କାମ ଆରମ୍ଭ କରିଦେଇ ଠିକାଦାର ଛୁ ମାରିଥିବାରୁ ଛାତ୍ରୀଛାତ୍ର, ଗ୍ରାମବାସୀ ତଥା ବାଲ୍‌ସି, କୋକୋଡ଼ମାଲ, ରେଙ୍ଗାଲି, ବେଳାମାଲ ଆଦି ଗ୍ରାମର ଶହଶହ ଲୋକ ଏହି ରାସ୍ତା ଦେଇ କାଣ୍ଡେଲ, କେସିଙ୍ଗା, ଭବାନୀପାଟଣାକୁ ଯାଇଥାଆନ୍ତି। ସ୍କୁଲ ଛାତ୍ରୀଛାତ୍ର ସାଇକେଲ ଯିବା ଆସିବା ବେଳେ ଇଟାରେ ଝୁଣ୍ଟି ପଡୁଛନ୍ତି। ଏହି ଏମ୍‌ଇ ସ୍କୁଲ ସମ୍ମୁଖରେ ସାପ୍ତାହିକ ଶୁକ୍ରବାର ବଜାର ବସୁଥିବାରୁ ବହୁ ବ୍ୟବସାୟୀଙ୍କ ଭିଡ଼ ଜମିଥାଏ। ଏଠାରୁ ଲକ୍ଷ୍ମୀ ବସ୍‌ ଚଳାଚଳ କରୁଛି। ବସ୍‌ଟି ବ୍ରେକ୍‌ ମାରିବା ସମୟରେ ଫେବର ଇଟା ଦେଇ ଉଠିବା ବେଳେ ଅସୁବିଧା ହେଉଛି। ଗ୍ରାମବାସୀ ବହୁବାର ଆର୍‌ଡି ବିଭାଗର ଯନ୍ତ୍ରୀଙ୍କୁ କହି କହି ଥକ୍କି ଗଲେଣି। ରାସ୍ତା ନିର୍ମାଣ କରିବା ପାଇଁ ଶହଶହ ଫେବର ଇଟା ରାସ୍ତା ପାଶର୍‌ବରେ ପଡ଼ିରହିଛି। ଠିକାଦାର ରାସ୍ତା କରିବାକୁ ଇଚ୍ଛା କରୁନାହାନ୍ତି। ଯାହାଫଳରେ ଲୋକଙ୍କ ଯିବା ଆସିବାବେଳେ ବହୁ ଅସୁବିଧା ହେଉଛି।

ସେହିପରି କାଣ୍ଡେଲ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ମଧ୍ୟ ଠିକାଦାର ଆଜକୁ ୫ମାସ ହେଲାଣି ଅଧା କାମ କରି ବନ୍ଦ କରିଦେଇଛନ୍ତି। ସ୍କୁଲ ଭିତରେ ଓ ମୁଖ୍ୟ ଗେ୍‌ଟ ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହୁଛି। ଛାତ୍ରୀଛାତ୍ର ସ୍କୁଲକୁ ଯିବା ଆସିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଆର୍‌ଡି ବିଭାଗ ଯନ୍ତ୍ରୀ ଶୁଖିଶ୍ୟାମ ନାଏକଙ୍କୁ ପଚାରିବାରୁ ବର୍ଷା ଲାଗି ରହିଛି। ବର୍ଷା କମି ଗଲେ କାଣ୍ଡେଲ ଓ ମଶାଣିବନ୍ଧ ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ କାମ କରାଯିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily