ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି: ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଖାରଜ

କଟକ ଅଫିସ, ୩।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ଦୁର୍ନୀତି ମାମଲା ରୁଜୁ କରିଛି। ତେଣୁ ଅଭିଯୋଗକାରୀଙ୍କୁ ମାମଲାର ତଦନ୍ତଭାର ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ଦେଇଥିବା ନିର୍ଦ୍ଦେଶକୁ ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ପୀଠ ଖାରଜ କରିଦେଇଛନ୍ତି ବୋଲି ପ୍ରଦୀପଙ୍କ ପାଇଁ ହାଇକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ବୁଧବାର ସୂଚନା ଦେଇଛନ୍ତି।
ହାଇକୋର୍ଟରେ ପ୍ରଦୀପଙ୍କ ମାମଲା ଶୁଣାଣି ବେଳେ ତାଙ୍କ ଓକିଲ ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ ଯେ, ନିୟମ ଅନୁସାରେ ଲୋକାୟୁକ୍ତଙ୍କ ନିକଟରେ କୌଣସି ଅଭିଯୋଗ ଆସିଲେ, ସେ ଏହାର ପ୍ରାଥମିକ ତଦନ୍ତ କରିବେ। ଏଥିସହ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବ ତାଙ୍କୁ ପକ୍ଷ ରଖିବାର ସୁଯୋଗ ଦେବେ। ହେଲେ ଏଠାରେ ଲୋକାୟୁକ୍ତ ପ୍ରଦୀପଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ତାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକି ଆଇନ ବିରୋଧ ବୋଲି ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ।
ପ୍ରକାଶ ଯେ, ପ୍ରଦୀପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସ ଡିଏସ୍‌ପି ରଞ୍ଜନ ଦାସ ଲୋକାୟୁକ୍ତଙ୍କ ନିକଟରେ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ଗ୍ରହଣ କରି ଗତ ଡିସେମ୍ବର ୧୧ତାରିଖରେ ଲୋକାୟୁକ୍ତ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ୨ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଭିଜିଲାନ୍ସକୁ କହିଥିଲେ। ଲୋକାଯୁକ୍ତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶାରେ ଲୋକାୟୁକ୍ତ ଗଠନ ହେବା ପରେ ପ୍ରଦୀପଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲା ପ୍ରଥମ ଯାହାକି ଉକ୍ତ ଅଦାଲତକୁ ଯାଇଥିଲା। ଟାଟା କମ୍ପାନୀରେ ଚାକିରି କରାଇଦେବା ନାମରେ ପ୍ରଦୀପ ତାଙ୍କ ଭାବୀ ଜ୍ୱାଇଁ ତଥା ନିଲମ୍ବିତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ବେକାର ଯୁବତୀଯୁବକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।