ନଭେମ୍ବର ୬ରେ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝି

ଭୁବନେଶ୍ୱର (ବ୍ୟୁରୋ)/ ନବରଙ୍ଗପୁର(ବି.ପ୍ର.),୨୯।୧୦: ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ। ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ। ଏଥିସହିତ ବିଜେଡିର ସ୍ଥାନୀୟ ବିଧାୟକ, ଏମ୍‌ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଦୀପ ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତ କିଛି ବର୍ଷ ହେବ ରାଜ୍ୟରେ କଂଗ୍ରେସର ସ୍ଥିତି ସେତେଟା ଭଲ ନାହିଁ। ନିଜର ଭବିଷ୍ୟତ ପାଇଁ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି।