ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଡିଆର୍‌ଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ଏହି ଗନ୍‌ ସିଷ୍ଟମକୁ ବିକଶିତ କରିଛି। ଏଥିରୁ ଶତ୍ରୁ ଉପରେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ୩ ରାଉଣ୍ଡ ଗୋଳା ବର୍ଷଣ କରାଯାଇପାରିବ। ୧୮ଟନ ଓଜନ ବିଶିଷ୍ଟ ଏଟିଏଜିଏସ୍‌ର ଲକ୍ଷ୍ୟଭେଦ କ୍ଷମତା ୪୦କିଲୋମିଟର ରହିଛି।
ସେପ୍ଟେମ୍ବରରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା। ସେତେବେଳେ ବନ୍ଧୁକ ବ୍ୟାରେଲ ଫାଟିଯିବା ଯୋଗୁ ପରୀକ୍ଷଣ ସ୍ଥଗିତ ରଖାଯାଇଥିଲା। ତେବେ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ବିଭାଗ ପକ୍ଷରୁ ସୂଚୀତ କରାଯାଇଛି। ଭାରତୀୟ ସେନାରେ ଆଗାମୀ ଦିନରେ ଅଧିକରୁ ଅଧିକ ଏଟିଏଜିଏସ୍‌ ଆବଶ୍ୟକ ଥିବାରୁ ଏହାକୁ ବିକଶିତ କରିବା ଲାଗି ପରୀକ୍ଷଣ ଜାରି ରହିଛି। ପ୍ରତିରକ୍ଷା କ୍ଷେତ୍ରରେ ଏହି ଗନ୍‌ ସିଷ୍ଟମ ଏକ ମାଇଲ୍‌ଖୁଣ୍ଟ ବୋଲି କୁହାଯାଉଛି। ବିଶ୍ୱରେ ଏହିଭଳି ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଏଟିଏଜିଏସ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଭି. ଗଡ଼େ କହିଛନ୍ତି।