ଛାଡ଼ିବା ପାଇଁ ଶକ୍ତି

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ଫେବୃୟାରୀ ୭ରେ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ନିକଟରେ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଖାପାଖି ୭ ମାସ କାର୍ଯ୍ୟକାଳ ବାକି ଥିବା ବେଳେ ତାଙ୍କର ଏଭଳି ନିଷ୍ପତ୍ତି ତାଙ୍କୁ ସମ୍ମାନନୀୟ ସ୍ତରରେ ନେଇ ପହଞ୍ଚାଇଛି। ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱବ୍ୟାପୀ ସବୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି କ୍ଷମତାକୁ ଜାବୁଡ଼ି ଧରିବସିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି। ଏଭଳି କେତେକ ନେତା ମଧ୍ୟ ଅଛନ୍ତି ନିର୍ବାଚନରେ ହାରିଯାଇଥିବା ସତ୍ତ୍ୱେ ପଦବୀ ଛାଡ଼ିବାକୁ ନାରାଜ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ନିକଟରେ ବ୍ରାଜିଲ ନାଗରିକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଜୈର ବୋଲସେନାରୋ ଏହାର ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛନ୍ତି। ସେହିପରି ଭାରତର କେତେକ ନେତାଙ୍କ ସମେତ ବିଶ୍ୱରେ ଆହୁରି ଅନେକ ନେତା ଅଛନ୍ତି, ଯେଉଁମାନେ କଳେବଳେ କୌଶଳେ କ୍ଷମତାରେ ରହିବାକୁ ଚାହୁଁଛନ୍ତି।
ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଆର୍ଡେନ ପ୍ରଧାନମନ୍ତ୍ରୀ ଭାବେ ଯାହା କରିବାର କଥା ସେ ନେଇ ଶତପ୍ରତିଶତ ଚେଷ୍ଟା କରିଥିଲେ। ହେଲେ କେତେଟା କ୍ଷେତ୍ରରେ ଯେଭଳି ପାରଦର୍ଶିତା ଦେଖାଇବାର ଥିଲା, ତାହା କରିପାରି ନ ଥିବା ବିଷୟ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଥିଲେ। ଏଭଳି ସ୍ବୀକାରୋକ୍ତି ତାଙ୍କୁ କ୍ଷମତା ଆସନରେ ବସିଥିବା ବିଶ୍ୱର ଅନେକ ବ୍ୟକ୍ତିଙ୍କଠାରୁ ଅଲଗା ପରିଚୟ ଦେଇପାରିଛି। ଆସୀନ ପଦବୀ ସକାଶେ ଉପଯୁକ୍ତ ନ୍ୟାୟ ଦେବାକୁ ଆଉ ତାଙ୍କ ପାଖରେ ଶକ୍ତି ନାହିଁ ବୋଲି ସାଧାରଣରେ ପ୍ରକାଶ କରିବା ଦ୍ୱାରା ସେ ନିଜ ଦେଶବାସୀ ଓ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯେତେବେଳେ ଅନେକ ନେତା ସେମାନଙ୍କ ରାଷ୍ଟ୍ର ପାଇଁ ସମ୍ପତ୍ତି ନ ହୋଇ ବୋଝ ଭାବେ କାର୍ଯ୍ୟ କରୁଛନ୍ତି, ସେତେବେଳେ ଆର୍ଡେନଙ୍କ ପଦକ୍ଷେପ ନିଶ୍ଚିତ ଭାବେ ଉଲ୍ଲେଖନୀୟ। କୋଭିଡ୍‌-୧୯ ବେଳେ ନିଜ ଦେଶର ମଙ୍ଗଳ ଲାଗି ତାଙ୍କ ଅବଦାନ ଓ ଅକ୍ଳାନ୍ତ ପରିଶ୍ରମର ଶ୍ରେୟ ନେବାକୁ ସେ କଦାପି ଚାହିଁନାହାନ୍ତି। ବାସ୍ତବରେ ଏଭଳି ବ୍ୟକ୍ତି ରାଷ୍ଟ୍ରନାୟକ ପଦବାଚ୍ୟ। ଆଜିର ସମୟରେ ବିଶ୍ୱ ନେତାମାନେ ଯେଉଁମାନଙ୍କଠାରେ ନୂଆ ଚିନ୍ତାଧାରା ନାହିଁ, ସେମାନେ ଅନ୍ୟମାନଙ୍କୁ ଆଗକୁ ଯିବା ଲାଗି ଛାଡ଼ିଦେବା ଦରକାର। ତାହା ନ କରି ଯେଉଁମାନେ କ୍ଷମତାକୁ ମାଡ଼ି ବସୁଛନ୍ତି ସେମାନେ ସମାଜ ପାଇଁ ବିପଦ ଆଣୁଛନ୍ତି ବୋଲି ଧରିନେବାକୁ ହେବ।
ଜେସିଣ୍ଡା ଆର୍ଡେନ୍‌ ୨୦୧୭ରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହେବା ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ୧୮୫୬ ପରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାରେ ସେ ଗୌରବ ଅର୍ଜନ କରିଥିଲେ। ନିର୍ବାଚନକୁ ମାତ୍ର ଦୁଇ ମାସ ବାକିଥିବା ବେଳେ ଲେବର ପାର୍ଟି ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଦର୍ଶନ କରାଯାଇଥିଲା। ସେତେବେଳକୁ ସେ ମନ୍ତ୍ରୀ ପଦଟିଏ ମଧ୍ୟ ପାଇ ନ ଥିଲେ। କିନ୍ତୁ ତାଙ୍କ ନେତୃତ୍ୱ ନେବାର ଦକ୍ଷତା ପାର୍ଟିର ବରିଷ୍ଠ ନେତାଙ୍କୁ ପ୍ରଭାବିତ କରିଥିଲା।
ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହେବା ପରେ ଆର୍ଡେନ ନିଜସ୍ବ ଶୈଳୀରେ ଶାସନ କରିବା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରିତ୍ୱ ସମୟରେ ସେ ଶିଶୁକନ୍ୟାକୁ ଜନ୍ମ ଦେଇ ମାତ୍ର ୬ ସପ୍ତାହର ମାତୃତ୍ୱକାଳୀନ ଛୁଟି ନେଇଥିଲେ। ସ୍ବଳ୍ପ ଅବଧିର ଏହି ଅବସରକୁ ନେଇ ତାଙ୍କ ନିଷ୍ପତ୍ତି ବିବାଦୀୟ ହୋଇପଡ଼ିଥିଲା। କିନ୍ତୁ ସେ ରାଷ୍ଟ୍ର କାର୍ଯ୍ୟ ଓ ପରିବାର ପରିଚାଳନା ଦିଗରେ ସମନ୍ବୟ ରକ୍ଷାକରି କିଭଳି କର୍ତ୍ତବ୍ୟ ସମ୍ପାଦନ କରାଯାଇପାରେ, ତାହା ଦେଖାଇ ଦେଇଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଗର୍ଭଧାରଣ ଗୋଟେ ଖବର ହେବା ଠିକ୍‌ ନୁହେଁ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ସେ ମନ୍ତବ୍ୟ ଦେବା ସେତେବେଳେ ଆଲୋଚନାର ବିଷୟ ହୋଇଥିଲା।
ବିଶ୍ୱରେ ଯେତେବେଳେ ଅଧିକାଂଶ ନେତା ସେମାନଙ୍କ କ୍ଷମତା ଉପଭୋଗକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିଥାଆନ୍ତି, ସେତେବେଳେ ଜେସିଣ୍ଡା ସାଧାରଣ ଭାବେ ମାନବକଲ୍ୟାଣ ଲାଗି କାର୍ଯ୍ୟ କରିବା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରି ରଖିଛି। ୨୦୧୯ରେ ଖ୍ରୀଷ୍ଟଚର୍ଚ୍ଚର ଦୁଇ ମସ୍‌ଜିଦ୍‌ ଉପରେ ହୋଇଥିବା ଆକ୍ରମଣରେ ୫୧ ଜଣଙ୍କ ପ୍ରାଣହାନି ଘଟିବା ଓ ୪୯ ଲୋକ ଗୁରୁତର ଆହତ ହେବା ପରେ ଜେସିଣ୍ଡା ସେମାନଙ୍କ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚତ୍ ଯେଭଳି ମାନବୀୟ ସହାୟତା ପ୍ରଦାନ କରିଥିଲେ, ବାସ୍ତବରେ ତାହା ତାଙ୍କ ବିଶାଳ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ମୃତକଙ୍କ ମା’ମାନେ ଯେତେବେଳେ ସେଠାରେ ବିଳାପ କରୁଥିଲେ ସେମାନଙ୍କ ପାଇଁ ସଂହତିର ପ୍ରତୀକ ଭାବେ ସେ ହିଜାବ ପିନ୍ଧିବା ଥିଲା ଉଲ୍ଲେଖନୀୟ ଘଟଣା। ସମ୍ଭବତଃ ମାନବୀୟ ଶାସନ ଶୈଳୀ ଯୋଗୁ ୨୦୨୦ ପାର୍ଲାମେଣ୍ଟ ନିର୍ବାଚନରେ ଜେସିଣ୍ଡା ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଓ ତାଙ୍କ ଦଳ ନିରଙ୍କୁଶ ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା।
ଏହା ସତ୍ୟ ଯେ ତାଙ୍କ ଲୋକପ୍ରିୟତା ଓ ଦଳର ସ୍ଥିତି ଏବେ ଦୁର୍ବଳ ହୋଇଯାଇଥିବା ବେଳେ ଜେସିଣ୍ଡା ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। କୋଭିଡ୍‌-୧୯ ବେଳେ ତାଙ୍କ ଉଲ୍ଲେଖନୀୟ ଅବଦାନ, ଦୁଇ ବର୍ଷ ପାଇଁ ଦେଶର ସୀମାକୁ ବନ୍ଦ କରିବା, ଶିଶୁ ଓ ମହିଳାଙ୍କ ପାଇଁ କାର୍ଯ୍ୟ କରିବା ସତ୍ତ୍ୱେ ଦରଦାମ ବୃଦ୍ଧିଜନିତ ଆର୍ଥିକ ସଙ୍କଟ ଇସ୍ତଫା ପଛର କାରଣ ପାଲଟିଯାଇଛି। ସ୍ଥିତି ସହ ସମତାଳ ଦେଇ ଚାଲିବାରେ ସେ ଅସଫଳ ହେଲେ। ଏଥିସହିତ ନିକଟରେ ପାର୍ଲାମେଣ୍ଟ ଭିତରେ ମାଇକ୍‌ ଅନ୍‌ ଥିବାବେଳେ ସେ ଲିବରେଟାରିଆନ୍‌ ପାର୍ଟି ନେତା ଡେଭିଡ୍‌ ସିମୋର୍‌ଙ୍କୁ ଉପଲକ୍ଷ୍ୟ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ସେଥିପାଇଁ ସେ ପରେ କ୍ଷମା ମାଗିଥିଲେ।
ଜେସିଣ୍ଡା କ୍ଷମତାରୁ ଓହରିଯିବା ବିଷୟ ଘୋଷଣା କରିବା ତାଙ୍କ ପାର୍ଟି ପାଇଁ ଅସ୍ଥିରତା ଆଣିବ ବୋଲି କୁହାଯାଇପାରେ। ଅନ୍ୟପକ୍ଷରେ ଦେଖିଲେ ତାଙ୍କ ପଦକ୍ଷେପ ଚଳିତ ବର୍ଷ ଆଗକୁ ହେବାକୁ ଥିବା ନିର୍ବାଚନ ସକାଶେ ହୁଏତ ସହାନୁଭୂତିର ତରଙ୍ଗ ସୃଷ୍ଟି କରିପାରେ।
ଏହା ଅପରିହାର୍ଯ୍ୟ ଯେ, ସମ୍ଭବତଃ ପୃଥିବୀରେ ଅନ୍ୟ କେହି ନେତାଙ୍କ ଏଭଳି ସାହସ ଥିବ ଯିଏ କ୍ଷମତାରେ ଥିବା ବେଳେ ପଦବୀ ତ୍ୟାଗକରି ସାଧାରଣ ନାଗରିକ ଭଳି ରହିବାକୁ ପସନ୍ଦ କରିବେ। ହୁଏତ ଭାରତରେ କ୍ୱଚିତ୍‌ ବ୍ୟକ୍ତି କ୍ଷମତାରେ ଥାଇ ତାହାକୁ ତ୍ୟାଗ କରିବାକୁ ଚାହୁଁଥିବାର ଖବର ମିଳେ। ତନ୍ମଧ୍ୟରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନୁହନ୍ତି, କାରଣ ସେ ଯେଉଁ ତ୍ୟାଗ କରୁଛନ୍ତି ତାହା ତାଙ୍କର ଭୁଲ୍‌ କାର୍ଯ୍ୟରୁ ଉପୁଜିଥିବା ଚାପର ପରିଣତି ହୋଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri