ଜେଇଙ୍କୁ ତାଲା ପକାଇବା ୨୪ ଘଣ୍ଟା ନ ପୂରୁଣୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ

ଓଡ଼ଗାଁ, ୧ା୧୦(ସ୍ବ.ପ୍ର.): ଗଁା ଲୋକ ଅନ୍ଧାରରେ ରହିବାରୁ ଜେଇଙ୍କୁ ବିଦ୍ୟୁତ୍‌ ଅଫିସରେ ତାଲା ପକାଇ ଦେଇଥିଲେ। ୨୪ ଘଣ୍ଟା ନ ପୂରୁଣୁ ଗଁାକୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇଛି। ପ୍ରକାଶ ଯେ, ଓଡ଼ଗଁା ବ୍ଲକ ଅନ୍ତର୍ଗତ ପଲ୍ଲୀ ଗୁଣ୍ଠାସାହି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ୧୬ଦିନରୁ ଅଧିକ ଅନ୍ଧାରରେ ରହିବା ପରେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ କାହାର ହେଲେ ନିଦ ଭାଙ୍ଗି ନ ଥିଲା। ଟାଟା କର୍ତ୍ତୃପକ୍ଷଙ୍କୁ ବାରମ୍ବାର ମୌଖିକ ଲିଖିତ ଅଭିଯୋଗ ସତ୍ତ୍ୱେ ଗାଁରେ ବିଦ୍ୟୁତ ଜଳିବା ସମ୍ଭବ ନ ହେବାରୁ ଅତିଷ୍ଠ ଗ୍ରାମବାସୀ ଏକଜୁଟ ହୋଇ ନିଜର ଏକତା ପ୍ରଦର୍ଶନ କରିଥିଲେ। ଗୁରୁବାର ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ପୁଣି ଥରେ ଅଭିଯୋଗ କରି ଆସିବା ପରେ ବିଭାଗୀୟ ଜେଇଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଫଳରେ ଗ୍ରାମବାସୀ ବିଦ୍ୟୁତ୍‌ ସେକ୍ସନ ଅଫିସରେ ପହଞ୍ଚତ୍ ଜେଇ ଜିତେନ୍ଦ୍ର କୁମାର ମହାରଣାଙ୍କୁ ଅଫିସ ଭିତରେ ରଖି ବାହାରୁ ତାଲା ପକାଇ ଦେଇଥିଲେ। ପୋଲିସ ହସ୍ତକ୍ଷେପ କରିବା ପରେ ସେହିଦିନ ସନ୍ଧ୍ୟା ସୁଦ୍ଧା ପଲ୍ଲୀ ଗୁଣ୍ଠାସାହି ଗ୍ରାମରେ ବିଭାଗୀୟ କର୍ମଚାରୀ ଟ୍ରାନ୍ସଫର୍ମର ଲଗାଇଥିଲେ। ଆବଶ୍ୟକ ଚାର୍ଜ ହେବା ପରେ ଶୁକ୍ରବାର ଅପରାହ୍ନ ୪ଟା ରେ ଗାଁରେ ଆଲୁଅ ଜଳିଥିବା ଗ୍ରାମର ସଂସାରୀ ସାହୁ ଓ ଜୟ ମିସ୍ତ୍ରି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କମ୍ପାନୀ ଷ୍ଟୋର କିମ୍ବା ଅଫିସରେ ଗୋଟିଏ ହେଲେ ଟ୍ରାନ୍ସଫର୍ମର ନ ଥିବା ତଥା ଲାଇନ ରିଷ୍ଟୋରେଶନ ନଟ ପୋସିବିଲ ବୋଲି ଗ୍ରାମବାସୀଙ୍କ ଦରଖାସ୍ତରେ ଲେଖିଥିବା ଜେଇ ମହାରଣାଙ୍କ ମନ୍ତବ୍ୟକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି।