ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ କ୍ଷେତ୍ର ସମେତ ପ୍ରକଳ୍ପ ପାରିପାର୍ଶ୍ୱିକ ଅଞ୍ଚଳର ଅଧିକାଂଶ ଗଁା ଅନ୍ଧାରରେ ରହିଛି।

ଅନକାଡ଼େଲି, ଚିକେନପୁଟ, ବାଦୀଗଡ଼, ପୋଡ଼ଶୀ ଆନ୍ଧ୍ର ଓ ମାଲକାନଗିରି ଜିଲାର ବଡଦୁରାଲ ପଞ୍ଚାୟତର ଅନେକ ଗ୍ରାମରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଛି। ଲୋକମାନେ ପାନୀୟ ଜଳଯୋଗାଣ, ମୋବାଇଲ ଚାର୍ଜିଂ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ପ୍ରଭାବ ବେଳେ ବିଦ୍ୟୁତ୍‌ ସେବା ବନ୍ଦ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାତିରେ ଗାଁଗୁଡ଼ିକ ଅନ୍ଧାର ରହୁଥିବାରୁ ସୁରକ୍ଷାକୁ ନେଇ ଲୋକେ ଚିନ୍ତାରେ ରହିଛନ୍ତି। ଦିନରେ ଲୋକେ ଗଛମୂଳରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।

ଅଗ୍ନିକାଣ୍ଡ ସ୍ଥିତି ସମୀକ୍ଷା କରିବାକୁ ଆସିଥିବା ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଓ ଏପିଜେନକୋ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପ୍ରକଳ୍ପର ସମସ୍ତ ମରାମତି କାର୍ଯ୍ୟ ସମ୍ପନ୍ନ ପରେ ବିଦ୍ୟୁତ୍‌ ଉତ୍ପାଦନ ହେବ। ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ୍‌ ସେବାର ବିକଳ୍ପ ବ୍ୟବସ୍ଥା କରିବାକୁ ୨ ରାଜ୍ୟର ଶକ୍ତିବିଭାଗ ଓ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା କହିଛନ୍ତି।

Share