ଧାର ଟଙ୍କା ଫେରସ୍ତ ମାଗିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଭଙ୍ଗାବାରୀ ନିକଟରେ ଧାର ଟଙ୍କା ଫେରସ୍ତ ମାଗିବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଦୁର୍ବୃତ୍ତ ଜଣକ ଟଙ୍କା ଦେବା ତ ଦୂରର କଥା ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ନାମ ଅଞ୍ଜନ ପାଢି । ସେ ଭବାନୀପାଟଣା କଶାକେନ୍ଦୁରେ ରହୁଥିବା ଜଣାପଡିଛି। ଏନେଇ ଅଞ୍ଜନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ନ ଥିବା ବେଳେ ମେଡ଼ିକାଲ ପକ୍ଷରୁ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏନେଇ ପୋଲିସ ଏକ ମାମଲା (ନଂ. ୪୪୮/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ କୋରକ୍ସ ବା ନିଶା କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ଚଚ୍ଚା ହେଉଛି।